୧୫ ବର୍ଷ ବୟସରେ ୮ଜଣ କରିଥିଲେ ବଳାତ୍କାର, କେବିସି ମଞ୍ଚରେ ସୁନୀତା ସଂଘର୍ଷର କାହାଣୀ ଶୁଣି ଚକିତ ହେଲେ ବିଗ୍‌ ବି

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡପତି’ର କର୍ମବୀର ଏପିସୋଡ୍‌ରେ ସୁନୀତା କୃଷ୍ଣମନ୍‌ ନଜର ଆସିବେ। ପଦ୍ମଶ୍ରୀ, ମଦର ଟେରେସା ପୁରସ୍କାର, ଲିମ୍‌କା ବୁକ୍‌ ଅଫ୍‌ ରେକଡ୍ସ ଭଳି ସମ୍ମାନର ଅଧିକାରୀ ସୁନୀତାଙ୍କ ଜୀବନ କାହାଣୀ ମଞ୍ଚର ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ବଳ କରିବ। ନିଜର ଟୁଇଟର ପୃଷ୍ଠାରେ ସୁନୀତାଙ୍କ ଏକ ଭିଡିଓ ଶେୟାର କରାଯାଇ ଏ ନେଇ ସୂଚନା ଦିଆଯାଇଛି।

ସୁନୀତା ହେଉଛନ୍ତି ମହିଳାମାନଙ୍କ ପାଇଁ ଲଢ଼େଇ କରୁଥିବା ଜଣେ ମଣିଷ। ଇତିମଧ୍ୟରେ ୨୨ ହଜାରରୁ ଅଧିକ ମହିଳାଙ୍କୁ ଯୌନ ଶେଷଣ ଏବଂ ଦଲାଲମାନଙ୍କ କବଳରୁ ରକ୍ଷା କରିସାରିଛନ୍ତି। ତେବେ ମହିଳାମାନଙ୍କୁ ଏହି କଳା ବେଉସାରୁ ମୁକ୍ତି କରିବାକୁ ଚାହୁଁଥିବା ସୁନୀତା ନିଜେ ୧୫ ବର୍ଷ ବୟସରେ ବଳାତ୍କାରର ଶିକାର ହୋଇଥିଲେ। ୮ଜଣ ଲୋକ ତାଙ୍କର ବଳାତ୍କାର କରିଥିଲେ। ଏହାପରେ ମଧ୍ୟ ତାଙ୍କ ଉପରେ ୧୭ରୁ ଅଧିକ ଥର ଆକ୍ରମଣ କରାଯାଇଛି। ହେଲେ ଏସବୁ ତାଙ୍କୁ ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରିନାହିଁ। ସେ କୁହନ୍ତି, ଯେତେପର୍ଯ୍ୟନ୍ତ ନିଃଶ୍ୱାସ ଚାଲିଛି, ଅନ୍ୟ ଝିଅ ଏବଂ ମହିଳା ପୀଡ଼ିତଙ୍କ ପାଇଁ କାମ କରିବି। କେବିସି ମଞ୍ଚରେ ସେ ଏସବୁ ବିଷୟରେ ପ୍ରକାଶ କରିଛନ୍ତି। ଏଥିସହ ବେଶ୍ୟାଳୟଗୁଡ଼ିକରେ ମହିଳାମାନଙ୍କ ଅବସ୍ଥା ନ କହିବା ଭଲ। ଦିନକୁ ସେମାନେ ୪୦ରୁ ଅଧିକ ଥର ବଳାତ୍କାରର ଶିକାର ହେଉଛନ୍ତି। ଏବେ ସେ ସେହିଭଳି ମହିଳାଙ୍କ ପାଇଁ କାମ କରୁଛନ୍ତି। ସେମାନଙ୍କୁ ଅନ୍ଧଗଳିରୁ ବାହାର କରି ସାଧାରଣ ଜୀବନଯାପନ କରିବାକୁ ସମସ୍ତ ପ୍ରୟାସ କରୁଛନ୍ତି।

Share