୧୫ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ରହିଛି। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଦୌ ବର୍ଷା ହେଉ ନାହିଁ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପରି କି ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହି ସମୟରେ ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ, କଟକ, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ପୁରୀ, ନୟାଗଡ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ଝଡ ତୋଫାନ ହେବ ବୋଲି ସତର୍କ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଭବାନୀପାଟଣାରେ ସର୍ବାଧିକ ୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୧୩.୨, ବାଲେଶ୍ୱର ୪.୪, କଟକ ୬.୨, ଅନୁଗୋଳ ୧୧.୬, କୋରାପୁଟ ୩.୬, ସୋନପୁର ୧୭.୪, ଦାରିଙ୍ଗିବାଡିରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share