୧୫ ଶହ କିଲୋ ସୁନା ମନ୍ଦିରରେ ଲକ୍ଷ୍ମୀଙ୍କର ହୁଏ ଜଳାଭିଷେକ

ବେଲୋର,୨୭।୧୦: ତାମିଲନାଡୁର କାଞ୍ଚିପୁରମଠାରୁ ପ୍ରାୟ ୭୦ କିଲୋମିଟର ଶ୍ରୀପୁରମ ବା ଶ୍ରୀନାରାୟଣୀ ପିଡମ ମନ୍ଦିରରେ ଦୀପାବଳି ଅବସରରେ ମା’ ଲକ୍ଷ୍ମୀଙ୍କର ସ୍ବତନ୍ତ୍ର ଆରାଧନା କରାଯାଇଥାଏ। ଏହିଦିନ ଲକ୍ଷ୍ମୀଙ୍କ ନିକଟରେ ପ୍ରାୟ ୧୧ ଘଣ୍ଟା ଧରି ଯଜ୍ଞ କରାଯାଉଥିବା ବେଳେ ସ୍ବତନ୍ତ୍ର ଧରଣର ଆଳତି କରାଯାଇଥାଏ। ମନ୍ଦିରର ପିଆର୍‌ଓ ଆର୍‌. ଭାସ୍କର କୁହନ୍ତି, ଚଳିତବର୍ଷ ମନ୍ଦିର ପରିସରରେ ୩୨ ହଜାରରୁ ଊର୍ଦ୍ଧ୍ୱ ଦୀପ ଜଳାଯାଇ ମା’ଙ୍କ ଆରାଧନା କରାଯିବ। ଏଥିମଧ୍ୟରୁ ୧୦ହଜାର ୬ଟି ଦୀପ ଯଜ୍ଞଶାଳାରେ ଜଳାଯିବ। ଅନ୍ୟ ପ୍ରାୟ ୨୦ ହଜାର ଦୀପ ଶହେ ଏକର ପରିମିତ ମନ୍ଦିର ପରିସରକୁ ଆଲୋକିତ କରିବ ବୋଲି ସେ କହିଛନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ପ୍ରାୟ ୧୫ଶହ କିଲୋ ସୁନାରେ ନିର୍ମାଣ କରାଯାଇଛି। ଚଳିତବର୍ଷ ଏଠାରେ ଦର୍ଶନ ଲାଗି ଗତ ୫ ଦିନ ମଧ୍ୟରେ ଅନୂ୍ୟନ ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ଅନୁମାନ କରାଯାଏ। ଏଠାରେ ମହାଲକ୍ଷ୍ମୀଙ୍କ ସହ ଗୋବର୍ଦ୍ଧନ ପୂଜା ମଧ୍ୟ କରାଯାଇଥାଏ। ମନ୍ଦିରରେ ଲକ୍ଷ୍ମୀଙ୍କର ୨ଟି ପ୍ରତିମା ରହିଛି। ଗୋଟିଏ ପ୍ରାୟ ୭୨ କିଲୋଗ୍ରାମ ସୁନାରେ ତିଆରି ହୋଇଥିବା ବେଳେ ଏହା ଚାନ୍ଦିର ସିଂହାସନ ଉପରେ ଶୋଭା ପାଉଛନ୍ତି। ଅନ୍ୟଟି କଳା ପଥରରେ ତିଆରି କରାଯାଇଛି ଯାହାର ଉଚ୍ଚତା ପାଖାପାଖି ୫ ଫୁଟ।

Share