Categories: ଜାତୀୟ

୧୫ ସରକାରୀ ଦସ୍ତାବିଜ୍‌ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ

ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍‌ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି ପାରି ନାହାଁନ୍ତି। ଆସାମ ଫରେନ୍‌ ଟ୍ରିବ୍ୟୁନାଲ ଏବେ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିଛନ୍ତି। ସ୍ଥାନୀୟ ବକ୍ସା ଜିଲାର ଗୋୟାବାରି ଗାଁରେ ବାସ କରୁଥିବା ଜାବେଦା ବେଗମ୍‌ ଏବେ ଅସୁସ୍ଥ ସ୍ବାମୀ ଏବଂ ଝିଅ ଆସମିନାଙ୍କୁ ନେଇ କୁଆଡେ ଯିବେ ତାହା ଚିନ୍ତା କରିପାରୁ ନାହାଁନ୍ତି। ହାଇକୋର୍ଟରେ ଭୋଟର ପରିଚୟପତ୍ର ପାନ୍‌ କାର୍ଟ, ଜମିଜମା କାଗଜପତ୍ର, ବ୍ୟାଙ୍କ କାଗଜପତ୍ର ଆଦି ସରକାରୀ ଦସ୍ତାବିଜ୍‌କୁ ହାଇକୋର୍ଟ ବୈଧ ନାଗରିକତ୍ୱ ପ୍ରମାଣ ପତ୍ର ଭାବେ ଗ୍ରହଣ କରି ନାହାଁନ୍ତି। ତାଙ୍କର ଜନ୍ମପ୍ରମାଣ ପତ୍ର ନ ଥିବାରୁ ସେ ଗାଁ ମୁଖିଆ ଗୋଲକ କାଲିତାଙ୍କଠାରୁ ଲିଖିତ ଭାବେ କାଗଜ ପତ୍ର ଦାଖଲ କରିଥିଲେ। ତେବେ ଏହାକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରି ନ ଥିବା ଗାଁ ମୁଖିଆ କହିଛନ୍ତି। ଏଥିରେ ସେ ଜାବେଦ ଅଲ୍ଲୀଙ୍କ ଝିଅ ବୋଲି ସୂଚିତ ହୋଇଛି। ଏହାସହିତ ତାଙ୍କ ପିତା ଜାବେଦଙ୍କ ୧୯୬୬, ୧୯୭୦, ୧୯୭୧ ଭୋଟର ତାଲିକାରେ ଥିବା ନାମକୁ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିବା ଗାଁ ମୁଖିଆ କହିଛନ୍ତି। ଆର୍ଥିକ ସମ୍ବଳ ନ ଥିବାରୁ ଜାବେଦା ସୁପ୍ରିମ୍‌କୋର୍ଟରେ ଆବେଦନ କରିବାକୁ ମନା କରିଛନ୍ତି। ନ୍ୟାୟ ପାଇଁ ସେ ଗୁହାରୀ କରିଛନ୍ତି।

Share