୧୬ରେ ଆନ୍ଦୋଳନକୁ ଓହ୍ଲାଇବେ ୫୦ ହଜାର ଶିକ୍ଷକ, କର୍ମଚାରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଆସନ୍ତା ୧୬ ତାରିଖ ‘ଶିକ୍ଷକ ଦାବି ଦିବସ’ରେ ନିଜର ହକ୍‌ ପାଇଁ ୫୦ ହଜାର ଶିକ୍ଷକ ଓ କର୍ମଚାରୀ ରାସ୍ତାକୁ ଓହ୍ଲାଇବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନର ଆନ୍ଦୋଳନ ପରେ ସରକାର ଓଡ଼ିଶାରୁ ବ୍ଲକଗ୍ରାଣ୍ଟ ଭଳି ଏକ କୁତ୍ସିତ ପ୍ରଥା ହଟାଇ ଥିଲେ। ହେଲେ ଏଯାଏ କୌଣସି ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ଘୋଷଣା କରିନାହାନ୍ତି। ଓଡ଼ିଶାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହୋଇ ସାରିଥିବାବେଳେ ଏହି ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସରକାର ଘୋଷଣା କଲେ ନାହିଁ। ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭୁଲିଯାଇ ନୀରବ ବସିଛନ୍ତି ସରକାର। ଅସଙ୍ଗତି ଯୋଗୁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜର କର୍ମଚାରୀଙ୍କୁ ଦୀର୍ଘ ୩୦ବର୍ଷ ପରେ ବି ଅନୁଦାନ ପରିସରଭୁକ୍ତ ନ କରି ସେମାନଙ୍କ ପରିବାରକୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି। ଏ ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ ଶିକ୍ଷକ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହେବେ ବୋଲି ମିଳିତମଞ୍ଚ ପକ୍ଷରୁ କୁହାଯାଇଛି। ସୋମବାର ଶ୍ରମିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ସରକାରଙ୍କ ଉଦାସୀନତା ପ୍ରତିବାଦରେ ଉକ୍ତଦିନ ମଧ୍ୟାହ୍ନ ୧୨ଟାରେ ରେଳଷ୍ଟେଶନରୁ ଏକ ବିଶାଳ ରାଲି ଲୋୟର ପିଏମ୍‌ଜି ଅଭିମୁଖେ ବାହାରି ଆନ୍ଦୋଳନସ୍ଥଳ ପର୍ଯ୍ୟନ୍ତ ଯିବ ବୋଲି ସେମାନେ ଜଣାଇଛନ୍ତି।