୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ପଠାଯାଇଥିବା ୧୬୦ଟି ରକ୍ତ ନମୁନାରୁ ଘୋଷଣା ହୋଇଥିବା ୧୯ଟି ନମୁନା ନେଗେଟିଭ ରହିଛି। ଜିଲାର ୧୪ ବ୍ଲକ, ୪ ପୌରପରିଷଦରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯାଇଛି। ସୁନାବେଡ଼ା ପୌରାଞ୍ଚଳରେ ଥିବା ୨୫ଟି ୱାର୍ଡ ପାଇଁ ପୌର କଲ୍ୟାଣ ମଣ୍ଡପ, ଏଡିଏଭି ହାଇସ୍କୁଲ, ହାଲ୍‌ କଲ୍ୟାଣ ମଣ୍ଡପ, ଭି.ଏସ୍‌. ବିଦ୍ୟାଳୟ, ଏ.ସି. ଆଣ୍ଡ ଏ. ମହାବିଦ୍ୟାଳୟ, ସେମିଳିଗୁଡ଼ା ଦକ୍ଷତା ତାଲିମ କେନ୍ଦ୍ର ଓ ସୀତମ ମହାବିଦ୍ୟାଳୟରେ ଏହି ଅସ୍ଥାୟୀ କେନ୍ଦ୍ର କରାଯାଇ ୫୦୦ ଶଯ୍ୟାର ବ୍ୟବସ୍ଥା ରହିଛି। ସବୁଠି ୨୪ଘଣ୍ଟିଆ ବିଜୁଳି, ପାନୀୟ ଜଳ, ପରିମଳ ସେବା ଯୋଗାଇ ଦିଆଯାଇଛି। ପ୍ରତ୍ୟେକ କେନ୍ଦ୍ର ପାଇଁ ୪ ଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ନୋଡାଲ ଅଫିସର ଚିତ୍ତରଞ୍ଜନ ସାହୁଙ୍କ ନେତୃତ୍ୱରେ ୩ଟି ସ୍ବତନ୍ତ୍ର ଟିମ୍‌ ଉକ୍ତ କେନ୍ଦ୍ର ତଦାରଖ କରୁଛନ୍ତି। ୭ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରତିଦିନ ୨୪୦ରୁ ଅଧିକ ଗରିବ ଓ ଯାଯାବରଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ପୌର ନିର୍ବାହୀ ଅଧିକାରୀ ସ୍ବସ୍ତିକ ଜମାଦାର କହିଛନ୍ତି।

Share