୧୬୦ ଫୁଟ ଉପରେ ବସି ଖାଇବାର ମଜା

ନୋଏଡା: ପ୍ରତି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଲୋକମାନଙ୍କୁ କିଛି ନିଆରା କରି ଦେଖାଇବା ପାଇଁ ପ୍ରେରଣା ଯୋଗାଉଛି। ଯେକୌଣସି ବ୍ୟବସାୟ ହେଉନା କାହିଁକି ଗ୍ରାହକଙ୍କୁ ଆକୃଷ୍ଟ କରିବା ସକାଶେ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ରେଷ୍ଟୁରାଣ୍ଟରେ ଉନ୍ନତମାନର ଖାଦ୍ୟ ସାଙ୍ଗକୁ ଭିନ୍ନ ଶୈଳୀରେ ଏହାକୁ ପରଷିବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ନୋଏଡାର ଏକ ରେଷ୍ଟୁରାଣ୍ଟ ମାଲିକ ନିଖିଲ କୁମାର। ‘ଫ୍ଲାଇଂ ଡାଇନିଂ ଆଟ୍‌ ନୋଏଡା’ ନାମରେ ସେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି, ଯେଉଁଠି ଗ୍ରାହକମାନେ ଭୁପୃଷ୍ଠରୁ ୧୬୦ ଫୁଟ ଉପରେ ଡାଇନିଂରେ ବସି ଖାଇବାର ମଜା ନେଇପାରିବେ। ରେଷ୍ଟୁରାଣ୍ଟର ମ୍ୟାନେଜିଂ ଡାଇରେକ୍ଟର ନିଖିଲ କୁହନ୍ତି, ଥରେ ଦୁବାଇ ଯାଇଥିବା ବେଳେ ସେଠାରେ ସେ ଏଭଳି ଫ୍ଲାଇଂ ଡାଇନିଂ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଭାରତରେ ଏଭଳି ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ମନସ୍ଥ କରିଥିଲେ। କିନ୍ତୁ ଲୋକଙ୍କ ସୁରକ୍ଷା ଓ ଅନୁଭବକୁ ଆହୁରି ଉତ୍କୃଷ୍ଟ କରି ଗଢ଼ିତୋଳିବା ପାଇଁ ରେଷ୍ଟୁରାଣ୍ଟ ତିଆରି କରିବାକୁ ୨ବର୍ଷ ସମୟ ଲାଗିଗଲା ବୋଲି ନିଖିଲ କହିଛନ୍ତି। ସେ ଆହୁରି କୁହନ୍ତି, ଏଠାରେ କାମ କରୁଥିବା ଲୋକମାନଙ୍କୁ ଜର୍ମାନୀରୁ ଆସିଥିବା ପ୍ରଶିକ୍ଷକମାନେ ଟ୍ରେନିଂ ଦେଇଛନ୍ତି। କ୍ରେନ୍‌ ସାହାଯ୍ୟରେ ଏହି ଡାଇନିଂ ଟେବୁଲ୍‌କୁ ଉପରକୁ ନିଆଯାଏ। ତା’ପୂର୍ବରୁ ସମସ୍ତେ ଠିକ୍‌ ଭାବେ ସିଟ୍‌ ବେଲ୍ଟ ଲଗାଇଛନ୍ତି କି ନାହିଁ ସେ ନେଇ ୩ ଥର ଯାଞ୍ଚ କରାଯାଏ। ସୁରକ୍ଷା ପାଇଁ ଲଗାଯାଇଥିବା ସମସ୍ତ ଉପକରଣ ଜର୍ମାନୀର ଏକ ସାର୍ଟିଫାଏଡ୍‌ କମ୍ପାନୀରୁ ଟେଷ୍ଟ କରାଯାଇଛି। ତଥାପି ସୁରକ୍ଷା ଦୃଷ୍ଟିରୁ ଗର୍ଭବତୀ ଓ ଛୋଟ ପିଲାମାନଙ୍କୁ ୪ ଫୁଟ ଉପରକୁ ଯିବାକୁ ଦିଆଯାଏନାହିଁ।

Share