୧୬,୨୩୫ କୋଟିର ଚୂଡ଼ାନ୍ତ ରିପୋର୍ଟ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ଫନ୍‌’ ଯୋଗୁ ଉପକୂଳବର୍ତ୍ତୀ ଜିଲାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାର ୧୬,୨୩୫ କୋଟି ଟଙ୍କାର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ବାତ୍ୟା ନିରୋଧ ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ୧୧, ୧୧୪ କୋଟି, ଗ୍ରାମାଞ୍ଚଳ ଗୃହ ନିର୍ମାଣ ପାଇଁ ୪୧୫୨ କୋଟି, ସମୁଦ୍ର ପାଣି ଅଟକାଇବାକୁ ଲୁଣାବନ୍ଧ ପାଇଁ ୭୬୭ କୋଟି ଏବଂ ରିଲିଫ ଓ ଥଇଥାନ ପାଇଁ ୨୦୨ କୋଟି ଟଙ୍କାର ପ୍ରସ୍ତାବ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ମେ ୨୦ ତାରିଖରେ ବାତ୍ୟା ଅମ୍ଫନ୍‌ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପରେ ଆର୍ଥାତ୍‌ ମେ ୨୨ ତାରିଖରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଗସ୍ତକରି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଜିଲା ପରିଦର୍ଶନ କରିଥିଲେ। ତତ୍କାଳ କ୍ଷତି ଭରଣା ପାଇଁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ସହାୟତା ରାଶି ପ୍ରଦାନ କରାଯାଇଥିଲା। ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଜୁନ୍‌ ୪ ଓ ୫ ତାରିଖରେ ଅଧିକ କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତ୍‌ସିଂହପୁର ଏବଂ ଭଦ୍ରକ ଜିଲା ଗସ୍ତ କରିଥିଲେ।
ମେ ୨୦ ତାରିଖରେ ବାତ୍ୟା ଅମ୍ଫନ୍‌ ମାଡ଼ରେ ରାଜ୍ୟର ଉପକୂଳବର୍ତ୍ତୀ ୧୦ଟି ଜିଲା ଦୋହଲି ଯାଇଥିଲା। ସେହି ଜିଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଏବଂ ପୁରୀ। ସେଥିରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାରେ ଭୟଙ୍କର କ୍ଷୟକ୍ଷତି ହୋଇଥିଲା। ରାଜ୍ୟ ସରକାରଙ୍କ ପ୍ରାଥମିକ ରିପୋର୍ଟ ଆକଳନ ଅନୁଯାୟୀ ଏହିସବୁ ଜିଲାର ୯୨ଟି ବ୍ଲକ, ୧୫୫୮ଟି ପଞ୍ଚାୟତର ୯୮୩୩ ଗ୍ରାମ ଏବଂ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡର ୪୪,୪୪,୮୯୬ ଲୋକ ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିଲେ। ୧ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା। ୫୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ବେଳେ ୧୫ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ୮,୭୨,୦୪୯ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଥିଲା। ବାତ୍ୟା ପ୍ରଭାବରେ ୧୫୧.୦୫ କି.ମି. ରାସ୍ତା ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୨ଟି ପୋଲ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ୬୪୬ଟି ଅଙ୍ଗନୱାଡି କେନ୍ଦ୍ର, ୧୫୫୨ପ୍ରାଥମିକ ସ୍କୁଲ କୋଠା ଏବଂ ୨୯୮ ପଞ୍ଚାୟତ କୋଠା ଏବଂ କମ୍ୟୁନିଟି ହଲ୍‌ ନଷ୍ଟ ହୋଇଥିବା ବେଳେ ୩୪ କି.ମି. ୩୩ କେ.ଭି., ୪୫୩ କି.ମି. ୧୧ କେ.ଭି. ଲାଇନ, ୬୮୦ କି.ମି. ଏଲ୍‌ଟି ଲାଇନ ଏବଂ ୨୪୩୯ଟି ଟ୍ରାନ୍ସଫର୍ମର ନଷ୍ଟ ହୋଇଥିଲା। ବାତ୍ୟା ପୂର୍ବରୁ ୨ ଲକ୍ଷ ୩୪୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।

Share