୧୬୫୦ କେଜି ଆବର୍ଜନା ସଂଗ୍ରହ କଲେ ଛାତ୍ରୀଛାତ୍ର

ଗୋପାଳପୁର,୧୮ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଜିଲା ପ୍ରଶାସନ ତରଫରୁ ସ୍ବଚ୍ଛ ନିର୍ମଳ ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିଥିଲା। ରବିବାର ଏହା ଉଦ୍‌ଯାପିତ ହୋଇଛି। ଏହି ପରିପ୍ରେକ୍ଷୀରେ ୫୮ ସରକାରୀ ଓ ବେସରକାରୀ ସ୍କୁଲରୁ ଛାତ୍ରୀଛାତ୍ର ସଫେଇରେ ସାମିଲ ହୋଇ ୧୬୫୦ କେଜି ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ। କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ରିଜିଓନାଲ ଚିଫ୍‌ କଞ୍ଜରଭେଟିଭ୍‌ ଫରେଷ୍ଟ ସୁରେଶ ପନ୍ଥ, ଡୁଡ଼ା ପିଡି ସୁଦାମ ଚରଣ ମଣ୍ଡଳ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରି ସ୍ବଚ୍ଛତା ବଜାୟ ରଖିବାକୁ ଅତିଥିବୃନ୍ଦ ସଚେତନ କରାଇଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଭାଗ ନେଇଥିଲେ। ସ୍ବଚ୍ଛ ଭାରତ, ବାଲ୍ୟ ବିବାହ ରୋକିବା ସମ୍ପର୍କିତ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁରଭି-୨୦୧୯ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦାସପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଗୋପାଳପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଏଡିଇଓ ବନୀତା ସେନାପତି, ରଙ୍ଗେଇଲୁଣ୍ଡା ବିଇଓ ଡ଼. ପ୍ରଭାତୀ କୁମାରୀ ମହାପାତ୍ର, ଇକୋ ସଂଯୋଜକ ଶଙ୍କର ନାରାୟଣ ବେଜ, ଅର୍ଜୁନ କୁମାର ବିଶ୍ୱାଳ ଓ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।