୧୬ ନୂତନ ଅଧ୍ୟାପକ ନିଯୁକ୍ତ: ଶିକ୍ଷକତାକୁ ବୃତ୍ତି ନୁହେଁ, ବ୍ରତ ଭାବେ ଗ୍ରହଣ କର; ମନ୍ତ୍ରୀ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶକ। ତେଣୁ ସେମାନେ ପ୍ରଭାବଶାଳୀ ହେବା ଆବଶ୍ୟକ। ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ବାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଞ୍ଚତ୍ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଶୁକ୍ରବାର ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କ ନିଯୁକ୍ତି କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। କୃଷି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୬ ଯୋଗ୍ୟ ବିବେଚିତ ଅଧ୍ୟାପିକା ଅଧ୍ୟାପକଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ୧୪ ଜଣ ଦିବ୍ୟାଙ୍ଗ ଅଧ୍ୟାପିକା ଅଧ୍ୟାପକ ଥିବାବେଳେ ଜଣେ ଖେଳାଳି, ଜଣେ ଅବସରପ୍ରାପ୍ତ ଆର୍ମି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ବୋଟାନିରେ ୨ ଜଣ, ବାଣିଜ୍ୟରେ ଜଣେ, ରସାୟନରେ ଜଣେ, ଇଂଲିଶ୍‌ରେ ୪ ଜଣ, ଲଜିକ୍‌ ଓ ଫିଲୋସଫିରେ ୨ ଜଣ, ପଦାର୍ଥ ବିଜ୍ଞାନରେ ଜଣେ, ରାଜନୀତି ବିଜ୍ଞାନରେ ୩ ଜଣ, ଗଣିତରେ ଜଣେ, ଜୁଲୋଜିରେ ଜଣେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ନବନିଯୁକ୍ତ ଅଧ୍ୟାପିକା ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ସାହୁ କହିଥିଲେ ଯେ, ଶିକ୍ଷା ଦ୍ବାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ। ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନ ଭାବି ବ୍ରତ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏହି ନିଯୁକ୍ତିକୁ ‘ନୂତନ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଥମ ଭେଟି’ ବୋଲି ମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଯୋଗଦେଇ ନବନିଯୁକ୍ତ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଜ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ତା’ର ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭାଗୀୟ ଯୁଗ୍ମସଚିବ ସୁରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share