୧୬ ବର୍ଷୀୟ ସ୍ପର୍ଶଙ୍କ ଶରୀରରେ ୧୩୦ଟି ଫ୍ରାକ୍ଚର: ମୋଦିଙ୍କ ସାମ୍ନାରେ ଗାଇବେ ଜାତୀୟ ସଙ୍ଗୀତ

ହ୍ୟୁଷ୍ଟନ୍‌,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହାଓଡି ମୋଦିି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ଏହି ମେଗା ଇଭେଣ୍ଟରେ ୫୦ ହଜାରରୁ ଅଧିକ ମୂଳ ଭାରତୀୟ ବାସିନ୍ଦା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ମୂଳର ଜଣେ ୧୬ ବର୍ଷୀୟ ଛାତ୍ର ସ୍ପର୍ଶ ଶାହ ମୋଦିଙ୍କ ସାମ୍ନାରେ ଜାତୀୟ ସଙ୍ଗୀତ ପରିବେଷଣ କରିବେ। ସ୍ପର୍ଶ ଜନ୍ମରୁ ଅଷ୍ଟିଓଜେନେସିସ୍‌ ଇମ୍ପରଫେକ୍ଟା ନାମକ ଏକ ରୋଗରେ ପୀଡ଼ିତ। ଏହି କାରଣରୁ ତାଙ୍କ ଶରୀରରେ ସାମାନ୍ୟ ଆଘାତ ହେଲେ ହାଡ ଭାଙ୍ଗିଯାଏ। ତାଙ୍କ ଶରୀରରେ ଏବେ ୧୩୦ଟି ଫ୍ରାକ୍ଚର ରହିଛି। ଡାକ୍ତରଙ୍କ କହିବା ମୁତାବକ, ସ୍ପର୍ଶ ନିଜ ମା’ଙ୍କ ପେଟରେ ଥିବାବେଳେ ତାଙ୍କର ୩୫ଟି ହାଡ ଭାଙ୍ଗିଯାଇଥିଲା। ସ୍ପର୍ଶ ଜଣେ ଭଲ କଣ୍ଠଶିଳ୍ପୀ। ସେ ଆମେରିକାର ନ୍ୟୁଜର୍ସିରେ ରୁହନ୍ତି। ସ୍ପର୍ଶ ମୋଦିଙ୍କୁ ଭେଟିବାକୁ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

Share