୧୬ ବର୍ଷ ଜେଲ୍‌ରେ ନାବାଳକ : ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ସମନ

ଭୁବନେଶ୍ୱର,୨୧ା୧୦(ବ୍ୟୁରେ) : ଏକ ଅପରାଧ ଘଟଣାରେ ଜଣେ ନାବାଳକଙ୍କୁ ୧୬ ବର୍ଷ ଧରି ଜେଲ୍‌ରେ ରଖାଯିବା ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚଆରସି) ମୁଖ୍ୟ ଶାସନ ସଚିବଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ୧୦ ଡିସେମ୍ବର ସୁଦ୍ଧା ମୁଖ୍ୟ ଶାସନ ସଚିବ ଏହି ଘଟଣାରେ ସବିଶେଷ ରିପୋର୍ଟ ସହ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିଶନ ଆଧାରରେ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତୁରନ୍ତ ନାବାଳକଙ୍କୁ ମୁକ୍ତ କରିବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ସୂଚନାଥାଉ କି ଘଟଣା ଘଟିବା ସମୟରେ ଅଭିଯୁକ୍ତ ନାବାଳକଙ୍କ ବୟସ ୧୮ବର୍ଷରୁ କମ୍‌ ଥିଲା। ତାଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବା ପରିବର୍ତ୍ତେ କୋର୍ଟଚାଲାଣ କରାଯାଇଥିଲା। ପ୍ରଶାସନ ଓ ପୋଲିସର ଦାୟିତ୍ୱହୀନତା ଯୋଗୁ ନାବାଳକ ଜଣକ ବାଳସୁଧାର ଗୃହ ବଦଳରେ ଅନ୍ୟ କଏଦୀଙ୍କ ଭଳି ଜେଲରେ ରହିଛନ୍ତି। ତେଣୁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ନାବାଳକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ତ୍ରିପାଠୀ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି।

Share