Categories: ଜାତୀୟ

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ଆଲାଏନ୍ସ(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୫୩୯ଜଣ ଏମ୍‌ପିଙ୍କର ସତ୍ୟପାଠରୁ ଏହା ଜଣାପଡ଼ିଛି। ଚଳିତ ଲୋକ ସଭାରେ ମୋଟ ୨୩୩ ଏମ୍‌ପିଙ୍କ ବିରୋଧରେ ହତ୍ୟା ଧମକ, ହତ୍ୟା, ବଳାତ୍କାର, ଅପରହରଣ ଆଦି ମାମଲା ରହିଛି। ଭାଜପାର ନବନିର୍ବାଚିତ ୩୦୩ ଏମ୍‌ପି ମଧ୍ୟରୁ ୩୦୧ ଜଣଙ୍କ ସତ୍ୟପାଠର ବିଶ୍ଳେଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ସ୍ବାଧୀ ପ୍ରଜ୍ଞା ସିଂଙ୍କ ସମେତ ୧୧୬ ଜଣଙ୍କ ନାମରେ ଆପରାଧୀକ ମାମଲା ରହିଛି। ସେହିପରି କଂଗ୍ରେସର ୫୨ ଏମ୍‌ପି ମଧ୍ୟରୁ ୨୯ଜଣଙ୍କ ନାମରେ ଏଭଳି ମାମଲା ରହିଛି। ବିଏସ୍‌ପିର ୧୦ ଏମ୍‌ପିଙ୍କ ମଧ୍ୟରୁ ୫ ଜଣ ନାମରେ ମାମଲା ରହିଥିବାବେଳେ ଜେଡିୟୁର ୧୬ ଜଣଙ୍କ ମଧ୍ୟରୁ ୧୩ ଜଣ, ତୃଣମୂଳ କଂଗ୍ରେସର ୨୨ ଜଣଙ୍କ ମଧ୍ୟରୁ ୯ ଜଣ ଏବଂ ଏମ୍‌ସିପିର ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ନାମରେ ଏଭଳି ମାମଲା ରହିଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୨୦୦୯ରେ ନିର୍ବାଚିତ ଏମ୍‌ପି ମଧ୍ୟରୁ ୧୬୨ ଜଣଙ୍କ ନାମରେ ଆପରାଧୀକ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣଙ୍କ ନାମରେ ଗୁରୁତର ମାମଲା ରହିଥିଲା। ସେହିପରି ୨୦୧୪ରେ ୧୮୫ ଏମ୍‌ପି ନାମରେ ମାମଲା ରହିଥିଲା। ସେମାନଙ୍କ ମଧ୍ୟରୁ ୧୧୨ଙ୍କ ନାମରେ ଗୁରୁତର ମାମଲା ଥିଲା। ଚଳିତ ଲୋକସଭାରେ କେରଳ ଇଡ୍ଡୁକୀ ଲୋକ ସଭା ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ଏମ୍‌ପି ଡିନ୍‌ କୁରିୟାକୋସ୍‌ଙ୍କ ନାମରେ ସର୍ବାଧିକ ୨୦୪ ମାମଲା ଥିବା ଏଡିଆର୍‌ ରିପୋର୍ଟରେ ପ୍ରକାଶ ପାଇଛି।

Share