୧୭୦ ପାଇପ୍‌ ଜଳ ପ୍ରକଳ୍ପ ଅଚଳ

ଛତ୍ରପୁର,୧୦ା୨(ଡି.ଏନ.ଏ.)-ଆଗକୁ ଖରାଦିନ ଆସୁଛି। ଅପରପକ୍ଷରେ ପୂର୍ବ ବର୍ଷମାନଙ୍କ ଭଳି ଗଞ୍ଜାମ ଜିଲାରେ ପିଇବା ପାଣି ଅଭାବ ଲାଗି ରହିବା ଆଶଙ୍କା ଦେଖାଦେଇଛି। ଜିଲା ଗ୍ରାମାଞ୍ଚଳରେ ଥିବା ୧୭୦ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଅଚଳ ରହିଥିବା ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ବ୍ରହ୍ମପୁର ଓ ଭଞ୍ଜନଗର ଡିଭିଜନ ପକ୍ଷରୁ ଡିଆରଡିଏ କାର୍ଯ୍ୟାଳୟକୁ ଦିଆଯାଇଥିବା ରିପୋର୍ଟରୁ ଏହା ଜଣାପଡିଛ। ଏଥିସହ ୧୧୧ ନୂଆ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ରହିଛି। ଏଥିରୁ ଖରାଦିନ ସରିବା ପରେ ଅର୍ଥାତ୍‌ ଜୁନ୍‌ରେ ୪୭ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ଉକ୍ତ ରିପୋର୍ଟରେ ବିଭାଗ ପକ୍ଷରୁ ଦର୍ଶାଯାଇଛି। ସେଥିମଧ୍ୟରେ ବ୍ରହ୍ମପୁର ଡିଭିଜନର ୨୫ ଓ ଭଞ୍ଜନଗର ଡିଭିଜନର ୨୨ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ରହିଛି। ଏଥିସହ ୩୭ ପ୍ରକଳ୍ପ କାମ ଜମା ଆରମ୍ଭ ହୋଇନି। ଏହି ସବୁ କାରଣରୁ ପାଣି ସମସ୍ୟା ପୂର୍ବବର୍ଷ ଭଳି ଉତ୍କଟ ହେବ ବୋଲି ଅନୁମାନ କରାଯାଉଛି। ଜିଲାରେ ୧୫୦୫ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ବ୍ରହ୍ମପୁର ଡିଭିଜନର ୮୨୭ରୁ ୭୭ ଓ ଭଞ୍ଜନଗର ଡିଭିଜନର ୬୭୮ ମଧ୍ୟରୁ ୯୩ ପ୍ରକଳ୍ପ ଅଚଳ ରହିଛି। ଉକ୍ତ ୧୭୦ ପ୍ରକଳ୍ପ ଅଚଳ ମଧ୍ୟରେ ଚିକିଟି ବ୍ଲକର ୮, ଦିଗପହଣ୍ଡି ୧୨, ପାତ୍ରପୁର ୭, ସାନଖେମୁଣ୍ଡି ୯, ଛତ୍ରପୁର ୫, ରଙ୍ଗେଇଲୁଣ୍ଡା ୬, ଗଞ୍ଜାମ ୮, ଖଲ୍ଲିକୋଟ ୧୧, ହିଞ୍ଜିଳି ୨, କୁକୁଡାଖଣ୍ଡି ୩, ଶେରଗଡ ୬, ଆସିକା ୫, ଧରାକୋଟ ୪, ଭଞ୍ଜନଗର ଗୋଟିଏ, ବେଲଗୁଣ୍ଠା ୯, ଜଗନ୍ନାଥପ୍ରସାଦ ୬, ସୋରଡା ୯, ବେଗୁନିଆପଡା ୧୪, କବିସୂର୍ଯ୍ୟନଗର ୧୧, ପୋଲସରା ୨୧ ଓ ପୁରୁଷୋତ୍ତମପୁର ବ୍ଲକର ୯ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଅଚଳ ରହିଛି।
ସେହିପରି ଜିଲାରେ ୨୨୨ ନୂଆ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ଏଥିରୁ ବର୍ତ୍ତମାନ ସୁଦ୍ଧା ୭୪ ପ୍ରକଳ୍ପ କାମ ସରିଥିବା ବେଳେ ୧୧୧ ପ୍ରକଳ୍ପ କାମ ଚାଲିଛି। ୩୭ ପ୍ରକଳ୍ପ କାମ ଆରମ୍ଭ ହୋଇ ନ ଥିବା ସୂଚନା ଦିଆଯାଇଛି। ଅପରପକ୍ଷରେ ଛତ୍ରପୁର ବ୍ଲକ ୭ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ବାକିଥିବା ବେଳେ ଚିକିଟିର ୪, ପାତ୍ରପୁରର ୭, ଦିଗପହଣ୍ଡିର ୧୦, ଗଞ୍ଜାମର ୭, ଖଲ୍ଲିକୋଟର ୧୨, କୁକୁଡାଖଣ୍ଡି ବ୍ଲକ ୫, ରଙ୍ଗେଇଲୁଣ୍ଡା ୭, ସାନଖେମୁଣ୍ଡିର ୧୨, ଶେରଗଡର ୯, ଆସିକାର ୮, ବେଗୁନିଆପଡାର ୭, ବେଲଗଣ୍ଠାର ୨, ଭଞ୍ଜନଗରର ୫, ବୁଗୁଡାର ୪, ଧରାକୋଟର ୧୨, ଜଗନ୍ନାଥପ୍ରସାଦର ୪, କବିସୂର୍ଯ୍ୟନଗରର ୨, ପୋଲସରା ୮, ପୁରୁଷୋତ୍ତମପୁରର ୫ ଓ ସୋରଡା ବ୍ଲକର ୧୧ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ବାକି ରହିଛି।