Categories: ଜାତୀୟ

୧୭୦ ବିଧାୟକଙ୍କ ସମର୍ଥନ ରହିଛି

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଭାଜପା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ସମସ୍ତ ଏନ୍‌ସିପି ବିଧାୟକ ଓ ୧୧ ସ୍ବାଧୀନ ବିଧାୟକ ଆମକୁ ସମର୍ଥନ କରୁଛନ୍ତି। ମ୍ୟାଜିକ୍‌ ନମ୍ବର(୧୪୫) ଛୁଇଁବା ଲାଗି କିଛି ଅସୁବିଧା ନାହିଁ ବୋଲି ଶନିବାର ଭାଜପା ପକ୍ଷରୁ ଦାବି କରାଯାଇଛି। ୨୮୮ ଆସନବିଶିଷ୍ଟ ରାଜ୍ୟ ବିଧାନସଭାରେ ଭାଜପାର ୧୦୫ ସଦସ୍ୟ ଅଛନ୍ତି। ସଂଖ୍ୟାଗରିଷ୍ଠତାର ପ୍ରମାଣ ଲାଗି ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଓ ଉପମୁଖ୍ୟମନ୍ତ୍ରୀ ଏନ୍‌ସିପି ନେତା ଅଜିତ୍‌ ପାଓ୍ବାରଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି ବୋଲି ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି। ଅଜିତ୍‌ ଏନ୍‌ସିପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସମସ୍ତ ବିଧାୟକଙ୍କ ସମର୍ଥନ ରହିଥିବା ପତ୍ର ତାଙ୍କ ପାଖରେ ରହିଛି। ରାଜ୍ୟପାଳଙ୍କୁ ମଧ୍ୟ ଏହା ପ୍ରଦାନ କରାଯାଇଛି। ଯଦି ଏନ୍‌ସିପିରେ ଫାଟ ଦେଖାଦିଏ, ତେବେ ୩୦ରୁ ଊର୍ଦ୍ଧ୍ୱ ବିଧାୟକ ସରକାର ସପକ୍ଷରେ ରହିବେ ବୋଲି ଭାଜପା କହିଛି।

Share