୧୭୫୩ କୋଟିର ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ: ୫୫୬୬ ନିଯୁକ୍ତି ଲକ୍ଷ୍ୟ, ମୋଟ ୬ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ସରକାର ସମସ୍ତ ପ୍ରୟାସ ଜାରିରଖିଛନ୍ତି। ଉତ୍ତମ ନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ପ୍ରକ୍ରିୟା ଜାରି ରହିଛି, ସେହିକ୍ରମରେ ଶନିବାର ଓଡ଼ିଶା ସରକାର ୧୭୫୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟରେ ୫୫୬୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି। କମିଶନର ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ।

ଅନୁମୋଦନ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି – ଖୋର୍ଦ୍ଧାରେ ହେବାକୁ ଥିବା ଟେକ୍ସଟାଇଲ ପ୍ରକଳ୍ପ। ପ୍ରାୟ ୨୫୭.୫୦ କୋଟି ଟଙ୍କା ବ୍ୟୟରେ ପେଜ୍‌ ଇଣ୍ଡଷ୍ଟ୍ରିଜ୍‌ ଲିଃ(ୟୁନିଟ୍‌-୨) ପ୍ରତିଷ୍ଠା କରାଯିବ। ଏହା ଦ୍ୱାରା ୩୫୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। କଟକ ଜିଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ବସାଯିବ। ୫୦.୧୦ କୋଟି ଟଙ୍କା ବ୍ୟୟରେ ଜୟଭାରତ ସ୍ପାଇସ୍‌ ପ୍ରାଇଭେଟ୍‌ ଲିଃ ଏହା କରୁଅଛି। ଏହାଦ୍ୱାରା ୫୫୦ ଜଣଙ୍କୁ ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି। ଖୋର୍ଦ୍ଧାରେ ଶ୍ରୀମଲାନି ଫୋମ୍ସ ପ୍ରା.ଲିଃ ୧୦ କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ ପ୍ରକଳ୍ପ ପ୍ରତିଷ୍ଠା କରିବ, ଏଥିରେ ୨୫ ଜଣଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିବ। ଯାଜପୁର ଜିଲାରେ ଡିଓ ରେସିଡେନ୍ସିଂ ଏଣ୍ଡ ରିସୋର୍ଟ ପ୍ରା.ଲିଃ ପକ୍ଷରୁ ୯୦ ଜଣଙ୍କୁ ନିଯୁକ୍ତି ଦେଲା ଭଳି ପ୍ରାୟ ୫୩.୬୯ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଅନୁରୂପ ଭାବେ ସେହି ଜିଲାରେ ୯୦୦ ନିଯୁକ୍ତି ସୁଯୋଗ ରଖୁଥିବା ୫୪୭.୧୯ କୋଟି ଟଙ୍କା ବ୍ୟୟରେ ଇଣ୍ଡିଆନ୍‌ ଏଣ୍ଡ ଫେରୋ ଆଲୟଜ୍‌ ଲିଃ ଷ୍ଟିଲ ଡାଉନ୍‌ଷ୍ଟ୍ରିମ୍‌ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାରେ ଶ୍ରୀଜଗନ୍ନାଥ ଷ୍ଟିଲ୍‌ ଆଣ୍ଡ ପାୱାର ଲିଃ ଦ୍ୱାରା ୮୩୫.୩୪ କୋଟି ବ୍ୟୟରେ ୫୦୧ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ଇସ୍ପାତ ପ୍ରକଳ୍ପ ସ୍ଥାପନ କରାଯିବ।

Share