Categories: ଭଦ୍ରକ

୧୭ ଦିନରେ ମୋଦି ସେନାର ଅନଶନ

ଚାନ୍ଦବାଲି, ୨୬।୭ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲିର କେତେକ ସମସ୍ୟାର ସମାଧାନ ପାଇଁ ୫ଟି ଦାବି ନେଇ ମୋଦି ସେନା ସେବା ସଂଘ ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଅନଶନ ଗୁରୁବାର ୧୭ ଦିନରେ ପହଞ୍ଚିଥିଲା। ସେମାନଙ୍କ ଦାବି ପ୍ରତି ଜିଲା ପ୍ରଶାସନ ଅଣଦେଖା କରୁଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଦୁଇଟି ସମସ୍ୟାର ସମାଧାନ ଦିଗରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ବିଡିଓ, କୃଷି ଅଧିକାରୀ, ଜୀବିକା ମିଶନ, ଏନ୍‌ଏସି ନିର୍ବାହୀ ଅଧିକାରୀ ମିଳିତ ଭାବେ ବୈଠକ କରି ରାଶନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ମହିଳା ସଂଘକୁ ଆସୁଥିବା ଅର୍ଥ ଆଦିର ସଦୁପଯୋଗ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେମାନଙ୍କ ମୁଖ୍ୟ ୩ଟି ଦାବି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିକାର, ବୈତରଣୀ ସେତୁର ପୁନରୁଦ୍ଧାର ଓ ଧାମରା ବନ୍ଦରରେ ସ୍ଥାନୀୟ ଯୁବତୀ ଯୁବକଙ୍କୁ ନିଯୁକ୍ତି ସମ୍ପର୍କରେ କେହି ମୁହଁ ଖୋଲୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଆନ୍ଦୋଳନକାରୀଙ୍କ ସହିତ ବିଭିନ୍ନ ସମୟରେ ହେଉଥିବା ବୈଠକରେ ମୁଖ୍ୟ ୩ଟି ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅକ୍ଷମତା ପ୍ରକାଶ କରିଛି। ଏହି ଦାବି ଯୁକ୍ତିଯୁକ୍ତ ଥିବାବେଳେ ଦୀର୍ଘଦିନର ଆନ୍ଦୋଳନ ସତ୍ତ୍ୱେ ସମାଧାନର ରାସ୍ତା ନ ଫିଟିବା ନେଇ ନାନା ଆଲୋଚନା ହେଉଛି। ସବୁଥିରୁ ନିରାଶ ହେବା ପରେ ମୁଖ୍ୟ ଦାବି ପୂରଣ ପାଇଁ ସେନା ପକ୍ଷରୁ ଗୁରୁବାରଠାରୁ ଆମରଣ ଅନଶନର ନିଷ୍ପତ୍ତି ନିଆଯାଇଛି। ବିଶ୍ୱ କେଶରୀ ମହାନ୍ତି, ଅଭିମନ୍ୟୁ ଦାସ ଅଧିକାରୀ, ମିନତି ଧଳ ଓ ମିନାକ୍ଷୀ ସାହୁ ପ୍ରମୁଖ ଆମରଣ ଅନଶନରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ସାମିଲ ହେବା ପୋଲିସ ଓ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି।