Categories: ବାଣିଜ୍ୟ

୧୭ ଦିନ ଗାଡ଼ି ଉତ୍ପାଦନ ବନ୍ଦ ରଖିବ ମହିନ୍ଦ୍ରା

ନୂଆଦିଲ୍ଲୀ,୧୪-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ଅଧିକ ଗୁରୁତର ହୋଇଛି। ଏହି କାରଣରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ବର୍ତ୍ତମାନ ତ୍ରୈମାସରେ ନିଜର କାରଖାନାରେ ଗାଡ଼ି ଉତ୍ପାଦନକୁ ୮ରୁ ୧୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଉତ୍ପାଦନ ସହ ବିକ୍ରିରେ ସାମଞ୍ଜସ୍ୟ ରଖିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ଶୁକ୍ରବାର ପ୍ରକାଶ କରାଯାଇଛି। ଜୁଲାଇରୁ ସେପ୍ଟେମ୍ବର ତ୍ର୍ରୈମାସରେ କମ୍ପାନୀର ବିଭିନ୍ନ କାରଖାନାରେ ଉତ୍ପାଦନକୁ ୮ରୁ ୧୪ ଦିନ ବନ୍ଦ ରଖାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ଷ୍ଟକ୍‌ ମାର୍କେଟକୁ କମ୍ପାନୀ ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଛି। ଅଧିକ ଷ୍ଟକ୍‌ କାରଣରୁ କମ୍ପାନୀ ପୂର୍ବର ଘୋଷଣା ସହ ଆହୁରି ୩ ଦିନ କାରଖାନା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ଷ୍ଟକ୍‌ ମାର୍କେଟକୁ ସୂଚନା ଦେଇ କହିଛି। ଚଳିତ ମାସ ଶେଷ ସୁଦ୍ଧା କମ୍ପାନୀର କୃଷି ଉପକରଣ କ୍ଷେତ୍ରରେ ଉତ୍ପାଦନ ୧ରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି କମ୍ପାନୀ କହିଛି। ସୂଚନାଥାଉ କି, ଚଳିତ ସପ୍ତାହରେ ହିନ୍ଦୁଜା ଗ୍ରୁପ୍‌ର ପ୍ରମୁଖ ଗାଡ଼ି ଉତ୍ପାଦନ କମ୍ପାନୀ ଅଶୋକ ଲେଲ୍ୟାଣ୍ଡ ଦୁର୍ବଳ ଚାହିଦାକୁ ଦୃଷ୍ଟିରେ ରଖି ନିଜର ବିଭିନ୍ନ କାରଖାନାରେ ଉତ୍ପାଦନକୁ ୧୬ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିସାରିଛି।

Share