Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ : ଡେନର୍ବି ଭାରତୀୟ ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୯ା୧୧ (ପି.ଟି.)- ସ୍ବିଡେନର ଥୋମାସ ଡେନର୍ବି ଶନିବାର ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଜଣେ କୋଚ୍‌ ହିସାବରେ ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି। ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଫା) ପ୍ରୋ ଡିପ୍ଲୋମାଧାରୀ ଡେନର୍ବିଙ୍କ ତତ୍ତ୍ୱାବଧାନରେ ସ୍ବିଡେନର ଜାତୀୟ ମହିଳା ଦଳ ୨୦୧୧ ଫିଫା ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇପାରିଥିଲା। ଭାରତୀୟ ଦଳର କୋଚ୍‌ ହେବା ପୂର୍ବରୁ ସେ ନାଇଜେରିଆ ଜାତୀୟ ମହିଳା ଫୁଟ୍‌ବଲ ଟିମ୍‌ ସହିତ ସମ୍ପୃକ୍ତ ଥିଲେ। ତାଙ୍କ ପ୍ରଚେଷ୍ଟାରେ ଦଳ ୨୦୧୯ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିଥିଲା। ନାଇଜେରିଆ ମହିଳା ଦଳ ଆକନ୍‌ ୨୦୧୮ ଟୁର୍ନାମେଣ୍ଟ ଜିତିଥିଲା। ଡେନର୍ବି ୨୦୧୮ରେ ନାଇଜେରିଆର ଶ୍ରେଷ୍ଠ କୋଚ୍‌ ପୁରସ୍କାର ଜିତିଥିଲେ। ଫିଫା ର଼୍ୟାଙ୍କିଙ୍ଗରେ ବର୍ତ୍ତମାନ ସ୍ବିଡେନ ୫ମ ସ୍ଥାନରେ ରହିଥିବାବେଳେ ନାଇଜେରିଆ ୩୬ତମ ସ୍ଥାନରେ ରହିଛି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି, ଡେନର୍ବିଙ୍କ ଭଳି ପ୍ରଚୁର ଅଭିଜ୍ଞତା ସମ୍ପନ୍ନ କୋଚ୍‌ ଭାରତୀୟ ଦଳକୁ ଉପଯୁକ୍ତ ଦୀଗ୍‌ଦର୍ଶନ ଦେଇପାରିବେ ବୋଲି ଆମର ଦୃଢ ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ସ୍ବିଡିଶ କୋଚ୍‌ କହିଛନ୍ତି୍‌ ମୋତେ କୋଚ୍‌ ଭାବେ ନିଯୁକ୍ତି ଦେଇଥିବାରୁ ମୁଁ ଏଆଇଏଫ୍‌ଏଫ୍‌କୁ ଧନ୍ୟବାଦ ଜଣାଉଛି। ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ୨୦୨୦ର ଆୟୋଜକ ଭାରତକୁ କୋଚିଂ ଦେବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ମେଗା ଇଭେଣ୍ଟ ଆଉ ମାତ୍ର ୧୨ ମାସ ସମୟ ରହିଛି। ମୋତେ ଭାରତୀୟ ଦଳକୁ ଏକ ଶକ୍ତିଶାଳି ଦଳରେ ପରିଣତ କରିବାକୁ ପଡ଼ିବ।

Share