୧୭ ସହରରୁ ଉତ୍ପାଦନ ହେବ ସବୁଜ ଶକ୍ତି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ପାରମ୍ପରିକ ଶକ୍ତି ଉତ୍ସ ବେଳକୁ ବେଳ ହ୍ରାସ ପାଉଥିବାରୁ ଅଣପାରମ୍ପରିକ ଶକ୍ତି ଉପରେ ଆଗାମୀ ଦିନରେ ଅଧିକ ନିର୍ଭର କରିବାକୁ ପଡ଼ିବ। ସେଥିପାଇଁ ରାଜ୍ୟ ସରକାର ସବୁଜ ଶକ୍ତି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ଶକ୍ତି ଉତ୍ସକୁ ଅଧିକ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ପୂର୍ବରୁ ଓଡ଼ିଶା ସବୁଜ ଶକ୍ତି ଉନ୍ନୟନ ନିଗମ (ଜେଡ୍‌କଲ) ନାମରେ ଏକ ସଂସ୍ଥା ଗଠନ କରିଛନ୍ତି। ଏହି ସଂସ୍ଥାଦ୍ୱାରା ଓଡ଼ିଶାର ୧୭ ସହରରେ ଯଥା-ବୁର୍ଲା, ହୀରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, ସୁନାବେଡା, ବାଲେଶ୍ୱର, ଭଦ୍ରକ, ବାରିପଦା, ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ୬୧୨ ସରକାରୀ କୋଠା ଉପରେ ଅନୂ୍ୟନ ୧୯ ମେଗାଓ୍ବାଟ କ୍ଷମତା ସମ୍ପନ୍ନ ରୁଫ୍‌ଟପ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁରରେ ୮୫ କୋଠାରେ ୨୨୮୫ କିଲୋଓ୍ବାଟ୍‌, ହୀରାକୁଦର ୭ କୋଠା ଉପରେ ୧୭୪, ବୁର୍ଲାର ୮୮ କୋଠାରେ ୩୦୭୯, ରାଉରକେଲାର ୯୨ କୋଠାରେ ୨୬୫୨, ଛତ୍ରପୁରର ୧୫ କୋଠାରେ ୫୨୦, ବାଲେଶ୍ୱରର ୩୧ କୋଠାରେ ୮୨୦, ବ୍ରହ୍ମପୁରର ୫୩ କୋଠାରେ ୨୧୬୨, ବାରିପଦାର ୪୪ କୋଠାରେ ୧୪୮୪, ଭଦ୍ରକର ୧୨ କୋଠାରେ ୧୭୫, ପୁରୀର ୨୯ କୋଠାରେ ୭୯୨, ଖୋର୍ଦ୍ଧାର ୪୨ କୋଠାରେ ୧,୦୪୧, କୋରାପୁଟର ୧୫ କୋଠାରେ ୪୬୪, ନବରଙ୍ଗପୁରର ୩୦ କୋଠାରେ ୯୭୨, ସୁନାବେଡ଼ାର ୧୪ କୋଠାରେ ୪୭୮, ଜୟପୁରର ୨୪ କୋଠାରେ ୭୦୪, ବଲାଙ୍ଗୀରର ୧ଟି କୋଠାରେ ୧୪୦ ଏବଂ ଭୁବନେଶ୍ୱରର ୩୦ ଛାତ ଉପରେ ୮୭୭ କିଲୋଓ୍ବାଟ ସୌର ଶକ୍ତି ଉତ୍ପାଦନ କରାଯିବ। ଏହାଛଡ଼ା ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ମାଧ୍ୟମରେ ୧୦୬୬ କୋଠା ଛାତ ଉପରେ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଜେଡ୍‌କଲ ମାଧ୍ୟମରେ କଟକ ଓ ଭୁବନେଶ୍ୱରର ୬ ସରକାରୀ କୋଠା ଉପରେ ୪ ମେଗାଓ୍ବାଟ କ୍ଷମତାସମ୍ପନ୍ନ ସୌରଶକ୍ତି ପ୍ରକଳ୍ପ ପ୍ଲାଣ୍ଟ ସ୍ଥାପନ କରାଯାଇଛି।

Share