୧୭ ହଜାର ଟଙ୍କାର ବିଶ୍ୱକପ୍‌ ଟିକେଟର ମୂଲ୍ୟ ଦେଢ଼ଲକ୍ଷ

ମୁମ୍ବାଇ,୩।୬- ଚଳିତ ମାସ ୩୦ ତାରିଖରେ ଏଜ୍‌ବାଷ୍ଟନଠାରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଏକ ପ୍ଲାଟିନମ ଟିକେଟର ମୂଲ୍ୟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ୨୦,୬୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ହେଲେ ଏହା ୮୭,୫୧୦ ଟଙ୍କାରେ ବିକ୍ରି ହେଉଛି। ଏହି ବ୍ୟବଧାନ ବିଶ୍ୱକପ୍‌ ଫାଇନାଲରେ ବହୁତ ବୃଦ୍ଧି ପାଇଛି। ଲଡର୍‌ସଠାରେ ଜୁଲାଇ ୧୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଦୁଇ ପ୍ରକାର ଟିକେଟ ଉପଲବ୍ଧ କରାଯାଇଛି। ପ୍ରଥମଟି ସିଲଭର ଓ ଦ୍ୱିତୀୟଟି ବ୍ରୋଞ୍ଜ। ଆଇସିସି ପକ୍ଷରୁ ସିଲଭର ଓ ବ୍ରୋଞ୍ଜ ଟିକେଟର ମୂଲ୍ୟ ଯଥାକ୍ରମେ ୧୭,୧୫୦ ଓ ୮,୩୫୫ ଟଙ୍କା ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସିଲଭର ଟିକେଟ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି ହେଉଥିବାବେଳେ ବ୍ରୋଞ୍ଜ ଟିକେଟ ଏକ ଲକ୍ଷ ୩୧ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଧାର୍ଯ୍ୟ ମୂଲ୍ୟଠାରୁ ବହୁ ଅଧିକ ଟଙ୍କାରେ ବିକ୍ରିହେବାର କାରଣ ବ୍ଲାକ୍‌ ମାର୍କେଟ ନୁହେଁ। ଟିକେଟ୍‌ଗୁଡ଼ିକ ଆଇସିସି ଅଫିସିଆଲ ଟ୍ରାଭେଲ ସଂସ୍ଥା ‘ଫାନାଟିକ୍‌ ସ୍ପୋଟର୍‌ସ’ରେ ଉପଲବ୍ଧ। ମ୍ୟାଚ୍‌ ସହିତ ହୋଟେଲରେ ରହିବା ଭ୍ରମଣ ଏଥିରେ ସାମିଲ ରହିଛି।

Share