୧୮ରୁ ଉଚ୍ଚ ବିଦ୍ୟାଳୟରେ ଖାତାଦେଖା

ଅନୁଗୋଳ ଅଫିସ୍‌, ୩।୩

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆୟୋଜିତ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ତେବେ ଶେଷ ଦିନରେ ପରୀକ୍ଷାରେ କପି କରି କେହି ଧରାପଡ଼ି ନ ଥିବା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କିନ୍ତୁ କେତେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ସେ ନେଇ କୌଣସି ହିସାବ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନାହିଁ। ଅନ୍ୟପକ୍ଷରେ ଆସନ୍ତା ୧୮ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି। ଏହି ଖାତା ଦେଖା ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି। ଅନୁଗୋଳ ଜିଲାରେ ସାଧାରଣ ବିଜ୍ଞାନରେ ଅସାଧୁ ଉପାୟ ଅବଲମ୍ବନ କରି ୬ ଜଣ ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ଡିଇଓଙ୍କ ସ୍କ୍ବାଡ୍‌ ସମେତ ସେଣ୍ଟ୍ରାଲ ସ୍କ୍ବାଡ୍‌ ଓ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଜିଲାର ବିଭିନ୍ନ ପରୀକ୍ଷାକେନ୍ଦ୍ର ଅନୁଧ୍ୟାନ କରିଥିଲେ। ତେବେ ଅନ୍ୟ ଜିଲା ତୁଳନାରେ ଅନୁଗୋଳ ଜିଲାରେ ମୋଟାମୋଟି ଭାବେ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ପରିଲକ୍ଷିତ ହୋଇଛି। ୧୮ ତାରିଖରୁ ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଖାତା ଦେଖା ଆରମ୍ଭ ହେବ ଓ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଏଥିରେ ନିୟୋଜିତ ହେବେ ବୋଲି ଜିଲା ଶିକ୍ଷା ଅଧିକାରୀ କହିଛନ୍ତି।

Share