୧୮ରେ ଏଲ୍‌ଆଇସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ

କଟକ ଅଫିସ,୧୬।୭: ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ଅଧ୍ୟକ୍ଷ ଏମ୍‌.ଆର୍‌ କୁମାର ଚଳିତ ମାସ ୧୮ରେ ଓଡିଶା ଆସୁଛନ୍ତି। ଏହି ଅବସରରେ ତାଙ୍କୁ ଏଲ୍‌ଆଇସି କଟକ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି କରାଯାଇଥିବା ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟ ସୂଚନା ଦେଇଛନ୍ତି। ଅଧ୍ୟକ୍ଷ ନୂଆପାଟଣାସ୍ଥିତ କଟକ ମଣ୍ଡଳ କାର୍ଯ୍ୟାଳୟର ଆଧୁନିକୀକରଣ କାର୍ଯ୍ୟ ଶୁଭାରମ୍ଭ କରିବେ। ସୂଚନାଯୋଗ୍ୟ, ଗତବର୍ଷ କଟକ ମଣ୍ଡଳ ୫ ଲକ୍ଷ ୧୦ହଜାର ପଲିସି ଏବଂ ୩୨୫ କୋଟି ଟଙ୍କାର ନନ୍‌ ସିଙ୍ଗଲ ପ୍ରିମିୟମ ଆୟ କରି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ୧୯୫୬ରେ ଏଲ୍‌ଆଇସି ଜାତୀୟକରଣ ସମୟରୁ କଟକ ଡିଭିଜନ ସ୍ଥାପନ କରାଯାଇଥିଲା ବେଳେ ଏହା ଓଡ଼ିଶାର ସର୍ବପୁରାତନ । ଗସ୍ତ ଅବସରରେ ଅଧ୍ୟକ୍ଷ ଅଭିକର୍ତ୍ତା, ଉନ୍ନୟନ ଅଧିକାରୀଙ୍କୁ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏହାବାଦ ସଫଳ ଅଭିକର୍ତ୍ତା ଏବଂ ଉନ୍ନୟନ ଅଧିକାରୀମାନଙ୍କୁ ସେ ସମ୍ମାନିତ କରିବେ। ତାଙ୍କ ସହ କ୍ଷେତ୍ରୀୟ ପ୍ରବନ୍ଧକ, ମହେନ୍ଦ୍ର କୁମାର ଓ ସେଣ୍ଟ୍ରାଲ ଅଫିସର ଇଞ୍ଜିନିୟରିଂ ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବ କୁମାର ବାନାର୍ଜୀ ଉପସ୍ଥିତ ରହିବେ।

Share