Categories: ବାଣିଜ୍ୟ

୧୮ହଜାର କୋଟି ଦେଲେ ବିଦେଶ ଯାଇପାରିବେ ଗୋୟଲ

ନୂଆଦିଲ୍ଲୀ,୧୦-୭: ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଗୋୟଲ ୧୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବା ପୂର୍ବରୁ ବିଦେଶ ଯାଇପାରିବେ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ତେବେ ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ ଆଉଟ ନୋଟିସକୁ ଚ୍ୟାଲେଞ୍ଜ କରି ଗୋୟଲଙ୍କ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ବିଚାରପତି ସୁରେଶ କୈଟ କହିଛନ୍ତି ଯେ, ଗୋୟଲଙ୍କୁ ବର୍ତ୍ତମାନ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ କରାଯାଇପାରିବ ନାହିଁ। ସେ ଯଦି ବିଦେଶ ଯିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ୧୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଜମା କରିବାକୁ ହେବ।
ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗୋୟଲଙ୍କ ବିରୋଧରେ ବର୍ତ୍ତମାନ ୧୮ ହଜାର କୋଟି ଟଙ୍କା ଗମ୍ଭୀର ଜାଲିଆତି ମାମଲାର ତଦନ୍ତ ଜାରି ରହିଛି। ସିରିୟସ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ଏହାର ତଦନ୍ତ କରୁଛି। ଗୋୟଲ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କିମ୍ବା ସିବିଆଇ ପକ୍ଷରୁ କୌଣସି ମାମଲା ଦାଏର କରାଯାଇ ନ ଥିଲେ ସୁଦ୍ଧା ତାଙ୍କୁ ଓ ତାଙ୍କ ପନତ୍ୀ ଅନୀତାଙ୍କୁ ମେ ୨୫ରେ ଦୁବାଇ ଯାଉଥିବା ବିମାନରୁ ଜବରଦସ୍ତ ଓହ୍ଲାଇ ଦିଆଯାଇଥିଲା। ତାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଥିବା ସମ୍ପର୍କରେ ସେ ସେହି ଦିନ ହିଁ ଜାଣିପାରିଥିଲେ ବୋଲି ଗୋୟଲ କହିଛନ୍ତି। ଏହାପରେ ତାଙ୍କୁ ଏସଏଫଆଇଓରୁ ଜୁଲାଇ ୧୦ରେ ହାଜର ହେବାକୁ ଓ ତଦନ୍ତରେ ସହାୟତା କରିବାକୁ କୁହାଯାଇଛି। ଜେଟ୍‌ର ଆର୍ଥିକ ସଙ୍କଟ ଦୂର କରିବା ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତାଙ୍କର ବିଦେଶ ଯିବା ଜରୁରୀ। ଏହାଛଡ଼ା ତାଙ୍କ ନିକଟରେ ବ୍ରିଟେନ ଓ ୟୁଏଇର ନିବାସୀ ଭିଜା ରହିଛି, ଯାହାର ନବୀକରଣ ଜୁଲାଇ ୧୦ ଓ ୨୩ରେ ହେବା ଦରକାର ବୋଲି ଗୋୟଲ ଯୁକ୍ତି ଦର୍ଶାଇଥିଲେ।

Share