୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଥିଲେ ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଓ ସମାଜ ସଂସ୍କାରକ। ଭାରତୀୟ ସମାଜରୁ ସତୀଦାହ ପ୍ରଥାର ଉଚ୍ଛେଦ, ବିଧବା ବିବାହ ପ୍ରଚଳନ କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଝାସଦେଇ ସାମ୍ବାଦିକତାକୁ ନିଜ ଅସ୍ତ୍ର କରିଥିଲେ। ୧୮୬ ବର୍ଷ ତଳେ ୧୮୩୩ ସେପ୍ଟେମ୍ବର ୨୭ ତାରିଖରେ ଇଂଲଣ୍ଡର ବ୍ରିଷ୍ଟଲ ଅନ୍ତର୍ଗତ ଷ୍ଟେପଲେଟନଠାରେ ତାଙ୍କର ଦେହାନ୍ତ ଘଟିଥିଲା। ରାଜା ରାମମୋହନ ରାୟଙ୍କ ଜନ୍ମ ୧୭୭୨ ମେ ୨୨ରେ ବ୍ରିଟିଶ ଶାସନାଧୀନ ବଙ୍ଗ ପ୍ରଦେଶର ରାଧାନଗରରେ ହୋଇଥିଲା । ତାଙ୍କ ପିତା ରମାକାନ୍ତ ଜଣେ ବୈଷ୍ଣବ ଉପାସକ ଥିଲେ। ତାଙ୍କ ମାତା ତାରିଣୀଦେବୀ ଜଣେ ଶକ୍ତି ଉପାସିକା ଥିଲେ। ୧୫ବର୍ଷ ହେବା ବେଳକୁ ତାଙ୍କର ହିନ୍ଦୀ, ପାର୍ସୀ, ଉର୍ଦ୍ଦୁ, ବଙ୍ଗଳା ଭାଷାରେ ଦକ୍ଷତା ଆସିଯାଇଥିଲା। କିଶୋରାବସ୍ଥାରେ ସେ ଅନେକ ସ୍ଥାନ ଭ୍ରମଣ କରିଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀରେ ଚାକିରିକରି ସେ ଇଂଲଣ୍ଡ, ଫ୍ରାନ୍ସ ଆଦି ରାଷ୍ଟ୍ର ଭ୍ରମଣ କରିଥିଲେ। ତେବେ ଇଷ୍ଟ ଇଣ୍ଡିଆ କମ୍ପାନୀର ଚାକିରି ଛାଡ଼ି ଦେଇ ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ୧୮୨୮ ଅଗଷ୍ଟ ୨୦ରେ ସେ ଦେବେନ୍ଦ୍ରନାଥ ଟାଗୋରଙ୍କ ସହ ମିଶି କୋଲକାତାଠାରେ ବ୍ରାହ୍ମସମାଜ ପ୍ରତିଷ୍ଠା କରିଥିଲେ। ବ୍ରହ୍ମମ୍ୟାନିକାଲ ମାଗାଜିନ, ସମ୍ବାଦ କୌମୁଦି, ମିରାତ୍‌ ଉଲ ଅଖବାର, ବଙ୍ଗଦୂତ ଭଳି ପତ୍ରପତ୍ରିକା ପ୍ରକାଶନ କରି ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ପାଇଁ ଜନମତ ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ସେ ବ୍ରାହ୍ମସମାଜ ଜରିଆରେ ବାଲ୍ୟବିବାହ ପ୍ରଥା, ସତୀଦାହ ପ୍ରଥା, ଜାତିବାଦ, କର୍ମକାଣ୍ଡ, ପରଦାପ୍ରଥା ଆଦିର ଘୋର ବିରୋଧ କରିଥିଲେ। ରାଜା ରାମମୋହନ ରାୟଙ୍କ ଦୂରଦର୍ଶିତା ଏବଂ ବୈଚାରିକତାର ଶତାଧିକ ଉଦାହରଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ହିନ୍ଦୀ ଭାଷା ପ୍ରତି ତାଙ୍କର ଯଥେଷ୍ଟ ଆଗ୍ରହ ରହିଥିଲା। ସେ ରୂଢ଼ିବାଦୀ ଚିନ୍ତାଧାରାର ଘୋର ବିରୋଧୀ ଥିଲେ। କିନ୍ତୁ ସଂସ୍କାର, ପରମ୍ପରା ଏବଂ ରାଷ୍ଟ୍ର ଗୌରବ ପ୍ରତି ସମର୍ପିତ ଥିଲେ। ସେ ଚାହୁଁଥିଲେ, ଦେଶର ନାଗରିକ ସ୍ବାଧୀନତାର ଅର୍ଥ ବୁଝନ୍ତୁ ।

Share