୧୮୮ ସେବକଙ୍କ ସ୍ବାବ୍‌ ସଂଗ୍ରହ ଶେଷ

ପୁରୀ ଅଫିସ,୧୫ା୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ଯେପରି ଠିକ୍‌ ସମୟରେ ରଥ ପ୍ରସ୍ତୁତ ହୋଇପାରିବ ତାହାର ରୂପରେଖ ପ୍ରସ୍ତୁତ କରିଛି। ରଥ ନିର୍ମାଣ କରୁଥିବା ସେବକମାନେ ଯେପରି କରୋନା ସଂକ୍ରମଣଠାରୁ ଦୂରରେ ରହିବେ ତାହାକୁ ପ୍ରାଥମିକତା ଦିଆଯାଇଛି। ରଥ ନିର୍ମାଣକାରୀଙ୍କୁ ସଙ୍ଗରୋଧରେ ରଖାଯିବା ସହ ପ୍ରତିଦିନ ସେମାନଙ୍କ ସ୍କ୍ରିନିଂ କରାଯାଉଛି। ସେମାନେ ଯେପରି ଶେଷ ପର୍ଯ୍ୟନ୍ତ କରୋନା ସଂକ୍ରମଣମୁକ୍ତ ରହିବେ ସେଥିଲାଗି କୋଭିଡ ଟେଷ୍ଟ କରାଯାଉଛି। ଗତ ବୁଧବାରଠାରୁ ସେବକଙ୍କ ସ୍ବାବ ସଂଗ୍ରହ ଆରମ୍ଭ ହୋଇଥିଲା। ଶୁକ୍ରବାର ୫୮ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ସମ୍ପ୍ରତି ରଥଖଳାରେ କାମ କରୁଥିବା ସମସ୍ତ ୧୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ଶେଷ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ଉନ୍ନୟନ ପ୍ରଶାସକଙ୍କ ସୂଚନା ମୁତାବକ, ବର୍ତ୍ତମାନ ରଥଖଳାରେ ମହାରଣା, ଭୋଇ, ରୂପକାର ଓ କମାର ସେବକଙ୍କୁ ମିଶାଇ ୧୮୮ଜଣ ସେବକଙ୍କ ଉପସ୍ଥାନ ପଡୁଛି। ସେମାନେ ଭକ୍ତନିବାସରେ ସଙ୍ଗରୋଧରେ ରହୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଏକ ପ୍ରକୋଷ୍ଠରେ ବୁଧବାର ପ୍ରଥମ ଦିନରେ ୫୫ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ଗୁରୁବାର ୭୫ ଏବଂ ଶୁକ୍ରବାର ୫୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି। ଆଗକୁ ଚିତ୍ରକର ସେବକ ଏବଂ ଅନ୍ୟ ସେବକ ସାମିଲ ହେଲେ ସେମାନଙ୍କର ବି କୋଭିଡ ଟେଷ୍ଟ କରାଯିବ। ବର୍ତ୍ତମାନ କାର୍ଯ୍ୟରତ ୧୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ପ୍ରକ୍ରିୟା ସରିଛି ବୋଲି ଜେନା କହିଛନ୍ତି।

Share