Categories: ବାଣିଜ୍ୟ

୧୮% କମିଲା ଇନ୍ଧନ ବ୍ୟବହାର

ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ଲାଗି ସାରା ଦେଶରେ ଇନ୍ଧନ ଚାହିଦା ମାର୍ଚ୍ଚ ମାସରେ ୧୮% ଖସିଛି। ଏହା ଗୋଟିଏ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ଧରଣର ହ୍ରାସ ବୋଲି କୁହାଯାଇଛି। ଏବେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଦେଶର ପେଟ୍ରୋଲିୟମ ପ୍ରଡକ୍ଟ ବ୍ୟବହାର ୧୭.୭୯% ଖସିବା ଫଳରେ ଏହା ୧୬.୦୮ ନିୟୁତ ଟନ୍‌କୁ ଖସିଛି। ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍‌ ଚାହିଦା କମିବା ଯୋଗୁ ଇନ୍ଧନ ବ୍ୟବହାର କମିଛି ବୋଲି ପେଟ୍ରୋଲିୟମ କମ୍ପାନୀ ଗୁଡିକ ପକ୍ଷରୁ ପ୍ରଦାନ କରାଯାଇଥିବା ଡାଟାରୁ ଏହା ସାମ୍ନାକୁ ଆସିଛି। ସାରା ଦେଶରେ ଡିଜେଲ ଅଧିକ ପରିମାଣରେ ବ୍ୟବହାର ହେଉଥିବା ବେଳେ ଏଥିରେ ୨୪.୨୩% ହ୍ରାସ ଘଟି ୫.୬୫ ନିୟୁତ ଟନ୍‌କୁ ଖସିଛି। ଏହା ବୃହତ୍ତ ପରିମାଣର ହ୍ରାସ ବୋଲି କୁହାଯାଉଛି। ଏବେ ସାରା ଦେଶରେ ଟ୍ରକଗୁଡିକ ଛିଡା ହୋଇଛି। ସେହିଭଳି ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହି ସମୟରେ ପେଟ୍ରୋଲ ବ୍ୟବହାର ୧୬.୩୭% ଖସିବା ଯୋଗୁ ୨.୧୫ ଟନ୍‌କୁ ହ୍ରାସ ଘଟିଛି। କୋଭିଡ-୧୯ ଲାଗି ସାରା ଦେଶକୁ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ କାର୍‌, ବାଇକ ମଧ୍ୟ ରାସ୍ତାରେ ଗଡିବା ବନ୍ଦ ହୋଇଛି। ସେହିଭଳି ଏପ୍ରିଲରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଡିଜେଲ ଚାହିଦା ୬୬% ଖସିଥିବା ବେଳେ ଇଟିଏଫ୍‌ ୯୦% ଖସିଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି।

Share