Categories: ଜାତୀୟ

୧୮ ଦିନରେ ୧.୭୬ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୧୯ା୬:ମହାମାରୀ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଗତ ଜୁନ୍‌ ୧ରୁ ଅଦ୍ୟାବଧି ୧.୭୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଭଳି ୧୦ ରାଜ୍ୟରେ ଉଗ୍ର ସଂକ୍ରମଣ ଦେଖାଦେବାରୁ ଏଭଳି ସ୍ଥିତି ଉପୁଜିଛି। ଗୁରୁବାର ସୁଦ୍ଧା ଦେଶରେ ୩.୬୮ ଲକ୍ଷରୁ ଅଧିକ ସଂକ୍ରମିତ ଥିବା ଜଣାପଡ଼ିଛି। ଏଥିସହ ଦେଶରେ ୧୨, ୩୬୦ ଜଣଙ୍କ ଜୀବନ ଯାଇଛି। ଏବେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୨.୯୫% ବୋଲି ସରକାର ଦର୍ଶାଇଛନ୍ତି। ସଂକ୍ରମିତ ହୋଇଥିବା ୧.୯୫ ଲକ୍ଷ ଲୋକ ସୁସ୍ଥହୋଇ ଘରକୁ ଫେରିଛନ୍ତି। ବୁଧବାର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୩, ୧୦୩ ରହିଥିଲା। ଗୁରୁବାର ଏହା ପ୍ରାୟ ୫ ହଜାର ରହିଛି। କ୍ରମଶଃ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟିହୋଇଛି। ମହାରାଷ୍ଟ୍ରରେ ୧. ୧୬ ଲକ୍ଷରୁ ଅଧିକ ଭୂତାଣୁ ଆକ୍ରାନ୍ତ ଥିବାବେଳେ ତାମିଲନାଡ଼ୁରେ ୫୨ ହଜାର ଓ ରାଜଧାନୀ ଦିଲ୍ଲୀରେ ୪୩ ହଜାର ଟପିଲାଣି। ପ୍ରବାସୀଙ୍କ ଆଗମନ ଓ ଲକ୍‌ଡାଉନ୍‌ ଉଠିବା ପରେ ଗୁରୁତର ପରିସ୍ଥିତି ଦେଖାଦେଇଛି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ବି ସେଭଳି ସୁଫଳ ମିଳୁନାହିଁ। ଅପରପକ୍ଷରେ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାନଙ୍କ ଲାଗି ୫୦ ହଜାର କୋଟି ଟଙ୍କାର ନିଯୁକ୍ତି ଯୋଜନା ସମ୍ପର୍କରେ ଘୋଷଣା କରିବେ। ପ୍ରଥମେ ୬ଟି ରାଜ୍ୟରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। କରୋନାରୁ ବର୍ତ୍ତିବା ଲାଗି ସାମାଜିକ ଦୂରତ୍ୱ ରକ୍ଷା ସହ ଅଧିକ ସଚେତନ ହେବା ଲାଗି ପରାମର୍ଶ ଦିଆଯାଇଛି।

Share