Categories: ବାଣିଜ୍ୟ

୧୮ ଦିନ କାମ ବନ୍ଦ କଲା ଅଶୋକ ଲେଲ୍ୟାଣ୍ଡ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଚିନ୍ତିତ କମ୍ପାନୀଗୁଡ଼ିକ କାର୍ଯ୍ୟ ସମୟ ହ୍ରାସ କରିବା ଭଳି ଉପାୟ ଆପଣାଇବା ଆରମ୍ଭ କଲେଣି। ମାରୁତି ତା’ର ଗୁରୁଗ୍ରାମ ଓ ମାନେସର ସ୍ଥିତ ଦୁଇଟି ପ୍ଲାଣ୍ଟରେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଏବେ ହିନ୍ଦୁଜା ଗ୍ରୁପ୍‌ କମ୍ପାନୀ ଅଶୋକ ଲେଲ୍ୟାଣ୍ଡ ଚଳିତ ମାସରେ ନିଜର ସମସ୍ତ କାରଖାନାରେ ୫ରୁ ୧୮ ଦିନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଯାଉଛି। ଚାହିଦା ହ୍ରାସ ପାଉଥିବାରୁ କାମ ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହୋଇଛି ବୋଲି ଏକ ବିବୃତି ଜାରି କରି କୁହାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କମ୍ପାନୀର ପନ୍ତନଗର କାରଖାନାରେ ସର୍ବାଧିକ ୧୮ ଦିନ କାମ ବନ୍ଦ ରହିବ। ଏହାଛଡ଼ା ଅଲ୍‌ବରରେ ୧୦ ଦିନ, ଭଣ୍ଡାରାରେ ୧୦ ଦିନ, ଏନ୍ନୋରରେ ୧୬ ଦିନ ଏବଂ ହୋସୁର୍‌ କାରଖାନାରେ ୫ ଦିନ କାର୍ଯ୍ୟବନ୍ଦ ରଖିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ସୂଚନାଥାଉ କି, ଦେଶର ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ଅତ୍ୟନ୍ତ ଗୁରୁତର ହୋଇଛି। ଦେଶର ସର୍ବବୃହତ ଗାଡ଼ି ନିର୍ମାତା ମାରୁତି ଇତିମଧ୍ୟରେ ପ୍ରାୟ ୩ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିସାରିଲାଣି। ଅନ୍ୟମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତିି। କାରଖାନାରେ କାମ ବନ୍ଦ କରିବା ପୂର୍ବରୁ ଅଶୋକ ଲେଲ୍ୟାଣ୍ଡ ଚାକିରି ଛାଡ଼ିବା ଲାଗି କର୍ମଚାରୀଙ୍କୁ ପ୍ରସ୍ତାବ ଦେଇଥିଲା। କମ୍ପାନୀ ପକ୍ଷରୁ ସେମାନଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ଏବଂ କର୍ମଚାରୀ ପୃଥକ ହେବା ଯୋଜନା(ଇଏସ୍‌ଏସ୍‌) ଆପଣାଇବାକୁ ପ୍ରସ୍ତାବ ଦିଆଯାଇଛି। ସୂଚନାଥାଉ କି, ଅଶୋକ ଲେଲ୍ୟାଣ୍ଡ ମୁଖ୍ୟତଃ କମର୍ସିଆଲ ଗାଡ଼ି ନିର୍ମାଣ କରିଥାଏ। ଅଗଷ୍ଟରେ କମ୍ପାନୀ ୯୨୩୧ ଗାଡ଼ି ବିକ୍ରି କରିପାରିଥିଲା, ଯାହା କି ପୂର୍ବବର୍ଷ ତୁଳନାରେ ୪୭% କମ୍‌। ଗତବର୍ଷ ଏହି ସମୟରେ କମ୍ପାନୀ ୧୭,୩୮୬ ଗାଡ଼ି ବିକ୍ରି କରିଥିଲା।

Share