Categories: ଖେଳ

୧୮ ବର୍ଷରୁ କମ୍‌ ଏଲିଟ ଲିଗ୍‌: ୟୁନାଇଟେଡ ପଞ୍ଜାବକୁ ହରାଇଲା ଓଡ଼ିଶା ଏଫସି

ନୂଆଦିଲ୍ଲୀ, ୩।୨- ଚଳିତ ୧୮ ବର୍ଷରୁ କମ୍‌ ହିରୋ ଏଲିଟ୍‌ ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟର ରବିବାର ମ୍ୟାଚରେ ଓଡ଼ିଶା ଏଫସି ୪-୦ ଗୋଲରେ ୟୁନାଇଟେଡ ପଞ୍ଜାବକୁ ପରାସ୍ତ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ପିଚ୍‌-୨ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁର୍ଣ୍ଣ ତ୍ୟାଗୀ ୨ଟି ଏବଂ ରିଷଭ ଦୋବ୍ରିୟାଲ ଓ ନିଶ୍ଚୟ ଅଧିକାରୀ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚର ୧୩ତମ ମିନିଟରେ ଅକ୍ଷୁର୍ଣ୍ଣ ପ୍ରଥମ ଗୋଲ ଦେଇ ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫସିକୁ ଅଗ୍ରଣୀ କରାଇଥିଲେ। ୨୫ତମ ମିନିଟରେ ରିଷଭ ଆଉ ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଓଡ଼ିଶା ଏଫସିର ଆଧିପତ୍ୟ ଅବ୍ୟାହତ ରହିଥିଲା। ଯୋଜନାର ସଫଳ ରୂପାୟନ କରି ଅକ୍ଷୁର୍ଣ୍ଣ ୭୨ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିବାବେଳେ ୭୮ତମ ମିନିଟରେ ନିଶ୍ଚୟ ଗୋଟିଏ ଗୋଲ ଦେଇ ଦଳର ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଏଫସିର ୧୩ ବର୍ଷରୁ କମ୍‌ ଦଳ ସୁଦେଭା ଫୁଟବଲ କ୍ଲବଠାରୁ ୦-୨ ଗୋଲରେ ପରାସ୍ତ ହୋଇଛି। ୫ ତାରିଖରେ ଦଳ ପଞ୍ଜାବ ଫୁଟବଲ କ୍ଲବକୁ ଭେଟିବ।

Share