Categories: ଜାତୀୟ

୧୮ ବର୍ଷ ମଧ୍ୟରେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କଲେଣି ନବୀନ

ପାଟନା,୮।୮: ଅଚିହ୍ନା ମୃତଦେହର ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ ୧୮ ବର୍ଷ ମଧ୍ୟରେ ସେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କରିଛନ୍ତି। ସ୍ଥାନୀୟ ଗୋପାଳଗଞ୍ଜରେ ବାସ କରୁଥିବା ନବୀନ ୨୦୦୧ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରୟାଗରାଜ ଯାଇଥିଲେ। ଜାନୁୟାରୀ ୧୪ରେ କୁମ୍ଭମେଳା ସମୟ ସେ ତାଙ୍କ ଭାଇଙ୍କ ସହିତ ଗଙ୍ଗାରେ ସ୍ନାନ କରୁଥିଲେ। ହଠାତ୍‌ ତାଙ୍କ ଭାଇ ଭାସିଯାଇଥିଲେ। ନବୀନ ୩୨ ଦିନ ପର୍ଯ୍ୟନ୍ତ ଭାଇଙ୍କୁୁ ଖୋଜି ଥିଲେ। ତେବେ ତାଙ୍କୁ ଭାଇ ମିଳି ନ ଥିଲେ। ସେ ନଦୀରେ ପ୍ରତି ମୃତଦେହକୁ ଓଲଟାଇ ଦେଖୁଥିଲେ। ପରେ ସେଗୁଡ଼ିକୁ ପୁଣି ଭସାଇ ଦେଉଥିଲେ। ତେବେ ଦିନେ ଜଣେ ନାବିକ ନବୀନଙ୍କୁ ପଚାରିଥିଲେ ଯେ, ଯଦି ମୃତଦେହ ତାଙ୍କ ଭାଇଙ୍କର ହୋଇଥାନ୍ତା ସେ କ’ଣ କରିଥାନ୍ତେ। ଏହା ନବୀନଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେବେଠାରୁ ସେ ଅଚିହ୍ନା ମୃତଦେହ ସଂସ୍କାର କରିବା ଆରମ୍ଭ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ପରିବାର ସଦସ୍ୟ ଦୂରେଇ ଯାଇଥିଲେ। ସମାଜରେ ସଭିଏଁ ତାଙ୍କୁ ଅଛୁଆଁ ମନେ କରିଥିଲେ। ମାତ୍ର ଏଥିରେ ନବୀନ ଧର୍ଯ୍ୟ ନ ହରାଇ ନିଜର କାର୍ଯ୍ୟ ଜାରି ରଖିଥିଲେ। ୨୦୦୫ଠାରୁ ସେ ଗୋପାଳଗଞ୍ଜରେ ଥିବା ବିଭିନ୍ନ ହସ୍ପିଟାଲରୁ ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ସଂସ୍କାର କରୁଛନ୍ତି। ନବୀନଙ୍କ ଏହି ସାମାଜିକ କାର୍ଯ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share