Categories: ବାଣିଜ୍ୟ

୧୮ ବ୍ୟାଙ୍କରେ ୩୨ ହଜାର କୋଟିର ଠକେଇ: ଏସ୍‌ବିଆଇରେ ସର୍ବାଧିକ

ନୂଆଦିଲ୍ଲୀ,୯-୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ୍‌)ରେ ୧୮ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ମୋଟ୍‌ ୩୧,୮୯୮.୬୩ କୋଟି ଟଙ୍କାର ୨୪୮୦ ମାମଲା ଧରାପଡିଛି। ଦେଶର ଶୀର୍ଷ ବ୍ୟାଙ୍କ ଏସ୍‌ବିଆଇରେ ସର୍ବାଧିକ ଠକେଇ, ଜାଲିଆତି ଧରାପଡିଛି। ଠକେଇ କାରଣରୁ ଏସ୍‌ବିଆଇ ସବୁଠାରୁ ବେଶି ୩୮% ଅର୍ଥ ହରାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି। ମଧ୍ୟପ୍ରଦେଶର ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡଙ୍କ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ସେ କହିଛନ୍ତି ଯେ, ଏସ୍‌ବିଆଇରେ ୧୨,୦୧୨.୭୭ କୋଟି ଟଙ୍କାର ସର୍ବାଧିକ ୧୧୯୭ ଠକେଇ ମାମଲା ଧରାପଡିଛି। ଏହି ଅବଧିରେ ଆଲ୍ଲାହାବାଦ୍‌ ବ୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ୨୮୫୫.୪୬ କୋଟି ଟଙ୍କାର ୩୮୧ ମାମଲା ସାମ୍ନାକୁ ଆସିଛି। ଏହାପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମୋଟ ୨୫୨୬.୫୫ କୋଟି ଟଙ୍କାର ୯୯ ମାମଲା ରହିଛି। ତେବେ ଠକେଇ କରାଯିବାର ପଦ୍ଧତି, ବ୍ୟାଙ୍କ ଓ ଗ୍ରାହକଙ୍କୁ ହୋଇଥିବା କ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇନାହିଁ। ନିଜ ପାଖରେ ତଥ୍ୟ ଉପଲବ୍ଧ ନ ଥିବା କେନ୍ଦ୍ରୀୟ ବ୍ୟାଙ୍କ କହିଛି। ସେହିପରି ବ୍ୟାଙ୍କ ଅଫ୍‌ ବରୋଦାର ୨୨୯୭.୦୫ କୋଟି ଟଙ୍କାର ୭୫ ମାମଲା, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ୨୧୩୩.୦୮ କୋଟି ଟଙ୍କାର ୪୫ ମାମଲା, କାନାରା ବ୍ୟାଙ୍କର ୨୦୩୫.୮୧ କୋଟି ଟଙ୍କାର ୬୯ମାମଲା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୯୮୨.୨୭ କୋଟି ଟଙ୍କାର ୧୯୪ ମାମଲା, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୧୯୬.୧୯ କୋଟି ଟଙ୍କାର ୩୧ ଠକେଇ ମାମଲା ସାମ୍ନାକୁ ଆସିଛି। ଆଲୋଚ୍ୟ ଅବଧିରେ କର୍ପୋରେଶନ ବ୍ୟାଙ୍କର ୧୬ ମାମଲାରେ ୯୬୦.୮୦ କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ୪୬ ମାମଲାରେ ୯୩୪.୬୭ କୋଟି ଟଙ୍କା, ସିଣ୍ଡିକେଟ ବ୍ୟାଙ୍କର ୫୪ ମାମଲାରେ ୭୯୫.୭୫ କୋଟି ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୫୧ ମାମଲାରେ ୭୫୩.୩୭ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୪୨ ମାମଲାରେ ୫୧୭.୨୦ କୋଟି ଟଙ୍କା, ୟୁକୋ ବ୍ୟାଙ୍କର ୩୪ ମାମଲାରେ ୪୭୦.୭୪ କୋଟି ଟଙ୍କା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ୮୫ ମାମଲାରେ ୨୫୩.୪୩ କୋଟି ଟଙ୍କା, ଆନ୍ଧ୍ରା ବ୍ୟାଙ୍କରେ ୨୩ ମାମଲାରେ ୧୩୬.୨୭ କୋଟି ଟଙ୍କା, ଇଣ୍ଡିଆନ ବ୍ୟାଙ୍କରେ ୩୭ ମାମଲାରେ ୩୭.୧୭ କୋଟି ଟଙ୍କା ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଗୋଟିଏ ମାମଲାରେ ୨.୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି।

Share