Categories: ଜାତୀୟ

୧୮ ରାଜ୍ୟ ସଭା ଆସନ ଲାଗି ୧୯ରେ ନିର୍ବାଚନ

ନୂଆଦିଲ୍ଲୀ,୧ା୬(ପି.ଟି.)-ରାଜ୍ୟ ସଭାର ୧୮ଟି ଆସନ ଲାଗି ଆସନ୍ତା ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହିସବୁ ଆସନରେ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିଲା। ତେବେ କରୋନା ମହାମାରୀ ଜନିତ ଲକ୍‌ଡାଉନ କାରଣରୁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା। ଲକ୍‌ଡାଉନ୍‌ ଏବେ କୋହଳ ହୋଇଥିବାରୁ ଇସି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଓ ଗୁଜରାଟର ୪ଟି ଲେଖାଏ ଆସନ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏ ଆସନ, ଝାଡ଼ଖଣ୍ଡର ୨ଟି ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ମଣିପୁରର ଗୋଟିଏ ଲେଖାଏ ଆସନରେ ଜୁନ୍‌ ୧୯ ସକାଳ ୯ଟାରେ ଭୋଟଗ୍ରହଣ ଆରମ୍ଭ ହେବ। ସେହିଦିନ ସନ୍ଧ୍ୟାରେ ଭୋଟଗଣନା କରାଯିବ ବୋଲି ଇସି କହିଛନ୍ତି। ନିର୍ବାଚନ ପରିଚାଳନା ବେଳେ କୋଭିଡ୍‌-୧୯ ଜନିତ କଟକଣା ଯେପରି ପାଳନ କରାଯାଏ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବା ଲାଗି ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଇସି ନିର୍ଦ୍ଦେଶ ଦେଇଛନ୍ତି।
୧୭ ରାଜ୍ୟରୁ ଖାଲି ହେବାକୁ ଥିବା ୫୫ ରାଜ୍ୟ ସଭା ଆସନରେ ନିର୍ବାଚନ ଲାଗି ଫେବୃୟାରୀ ମାସରେ ଘୋଷଣା କରାଯାଇଥିଲା। ମାର୍ଚ୍ଚରେ ୧୦ ରାଜ୍ୟରୁ ୩୭ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ଅନ୍ୟ ଆସନରେ ମାର୍ଚ୍ଚ ୨୬ରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା। ତେବେ କରୋନା ଜନିତ ଲକ୍‌ଡାଉନ ଯୋଗୁ ନିର୍ବାଚନକୁ ଘୁଞ୍ଚାଇଦିଆଯାଇଥିଲା। ଏହି ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କଂଗ୍ରେସର କେ.ସି ବେଣୁଗୋପାଳଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବାକୁ ଯାଉଛି।

Share