୧୮ ସୁଦ୍ଧା ୧୯ ଖଣିର ନିଲାମ ଶେଷ ଲକ୍ଷ୍ୟ: ଆର୍ସେଲର ମିତ୍ତଲକୁ ଠାକୁରାଣୀ ଖଣି

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦୁଝର ଜିଲାରେ ଥିବା ଠାକୁରାଣୀ ଲୁହାପଥର ଖଣିକୁ ହାତେଇବାରେ ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସଫଳ ହୋଇଛି। ଖଣିର ଲୁହାପଥର ବିକ୍ରି ମୂଲ୍ୟର ୧୦୭.୫୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ସର୍ତ୍ତରେ ଏହି ଖଣି ଆର୍ସେଲର ମିତ୍ତଲକୁ ମିଳିଛି। ଏହାଛଡ଼ା ଟିକସ ପଇଠ କରିବା ସହ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଏବଂ ଖଣି ସମ୍ପର୍କିତ ଅନ୍ୟାନ୍ୟ ଦେୟ ଦେବାକୁ କମ୍ପାନୀ ରାଜି ହୋଇଛି। ଠାକୁରାଣୀ ଲୁହାପଥର ବ୍ଲକରେ ୧୭୯ ନିୟୁତ ଟନ୍‌ ଲୁହାପଥର ଥିବା ଆକଳନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ୧୦ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମଲ୍‌ଗାମ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌, ଜେଏସ୍‌ପିଏଲ, ବିଆରପିଏଲ୍‌, କେଜେଏସ୍‌ ଆଲୁଓ୍ବାଲିଆ, ଆର୍ସେଲର ମିତ୍ତଲ ଏବଂ ଓଡ଼ିଶା ମେଟାଲିକ୍ସ ନିଲାମର ବେସ୍‌ ପ୍ରାଇସ୍‌ ୭୨.୪ ପ୍ରତିଶତ ଭିତରେ ରହିଥିଲା। ଏହା ପୂର୍ବରୁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ନୂଆଗାଁ ଓ ନାରାୟଣପୋଷି ଲୁହାପଥର ଖଣି ହାତେଇଛି। ଏହି ଦୁଇଟି ଖଣିରେ ମୋଟ୍‌ ୯୮୦ ନିୟୁତ ଟନ୍‌ ଲୁହାପଥର ଥିବା କୁହାଯାଇଛି। ନୂଆଗାଁ ଲୁହାପଥର ଖଣିରେ ପ୍ରାୟ ୭୯୦ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ନାରାୟଣପୋଷି ଲୁହାପଥର ବ୍ଲକରେ ୧୯୦ ନିୟୁତ ଟନ୍‌ ରହିଥିବା ଆକଳନ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୧୯ଟି ଖଣିର ନିଲାମ ପ୍ରକ୍ରିୟା ଫେବୃୟାରୀ ୧୮ ସୁଦ୍ଧା ଶେଷ ହେବା ପରେ ନିଲାମଧାରୀଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଏଠାରେ ଊଲ୍ଲେଖଯୋଗ୍ୟ ଯେ, ଏହି ସବୁ ନିଲାମ ହେଉଥିବାରୁ ରାଜ୍ୟ ସରକାର ନିଶ୍ଚିତ ଭାବେ ଲାଭବାନ୍‌ ହେଉଛନ୍ତି। ରାଜ୍ୟ ରାଜକୋଷକୁ ରୟାଲ୍‌ଟି ଆକାରରେ ଯେତିକି ପ୍ରତିଶତ ପୂର୍ବରୁ ମିଳୁଥିଲା, ତାହାଠାରୁ ଯଥେଷ୍ଟ ଅଧିକ ଏବେ ମିଳିବ। ଅନ୍ୟପଟେ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରଭାବର ଅନୁକମ୍ପା ହେତୁ ୨ ଖଣି ମାଲିକ ଓଡ଼ିଶାର ରକ୍ତ ଶୋଷି ଅତ୍ୟନ୍ତ ଲାଭବାନ ହେଉଛନ୍ତି। ପ୍ରଥମଟି ହେଲା ଟାଟା ଏବଂ ୨ୟଟି ହେଲା ପଟ୍ଟନାୟକ ଖଣି କମ୍ପାନୀ। ଏହି ଦୁହିଁଙ୍କ ପାଖରେ ଲାଭ ଦାୟକ ଖଣି ରହିଥିବା ସତ୍ତ୍ୱେ ସେମାନଙ୍କୁ ବର୍ଦ୍ଧିତ ରୟାଲଟି ଦେବାକୁ ପଡ଼ୁ ନାହିଁ। ଏହା ଦ୍ୱାରା ରାଜ୍ୟବାସୀଙ୍କ କ୍ଷତି ଘଟୁଛି। ଓଡ଼ିଶାର ଜଙ୍ଗଲ ହାନୀ ସହିତ ପ୍ରାକୃତିକ ସମ୍ପଦ ହରିଲୁଟ ମଧ୍ୟ ହେଉଛି। ପୂର୍ବରୁ ନିଲାମ ପ୍ରକ୍ରିୟାକୁ ବାତିଲ କରିଦେଇପାରୁଥିବା ରାଜ୍ୟ ସରକାର ଏହି ଟାଟା ଏବଂ ପଟ୍ଟନାୟକ ୨କମ୍ପାନୀଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ତାହା ପରବର୍ତ୍ତୀ ସମୟରେ ବୁଝାପଡ଼ିବ।

Share