Categories: ଖେଳ

୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ନିକଟତର ନାଡାଲ

ନ୍ୟୁୟର୍କ,୭।୯- କିମ୍ବଦନ୍ତୀ ରାଫାଲ ନାଡାଲ ଏଠାରେ ରବିବାର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ୟୁଏସ୍‌ ଓପନ ଫାଇନାଲରେ ସେ ଇଟାଲୀ ମାଟ୍ଟେଓ ବରେଟିନିଙ୍କୁ ହରାଇ ଦେଇଛନ୍ତି। ୩୩ ବର୍ଷୀୟ ସ୍ପାନିଶ ଖେଳାଳି ମ୍ୟାଚ୍‌କୁ ୭-୬(୮/୬), ୬-୪, ୬-୧ ସେଟ୍‌ରେ ଜିତିନେଇଛନ୍ତି। ସେ ଫାଇନାଲରେ ୫ମ ସିଡ୍‌ ଡାନିଏଲ ମେଡଭେଡେଭଙ୍କୁ ଭେଟିବେ। ରୁଷିଆ ଖେଳାଳି ମେଡଭେଡେଭ ସେମିଫାଇନାଲରେ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭଙ୍କୁ ୭-୬(୭/୫), ୬-୪, ୬-୩ ସେଟ୍‌ରେ ହରାଇ ଥିଲେ। ସିଜନ ଆରମ୍ଭରେ ମୁଁ ସଂଘର୍ଷ କରୁଥିଲି। ଏବେ ୟୁଏସ୍‌ ଓପନ ଫାଇନାଲକୁ ଫେରି ବହୁତ ଖୁସି ବୋଲି ନାଡାଲ କହିଛନ୍ତି। ୧୨ ଥର ଫ୍ରେଞ୍ଚ ଓପନ ଚାମ୍ପିୟନ କ୍ୟାରିୟରର ୪ର୍ଥ ୟୁଏସ୍‌ ଓପନ ଟାଇଟଲ ହାତେଇବା ଲକ୍ଷ୍ୟରେ ଅଛନ୍ତି। ସେ ଏହି ଟାଇଟଲ ହାତେବାରେ ସଫଳ ହେଲେ ପୁରୁଷ ସିଙ୍ଗଲ୍ସ ବର୍ଗରେ ସର୍ବକାଳୀନ ରେକର୍ଡଧାରୀ ରୋଜର ଫେଡରରଙ୍କ ନିକଟତର ହେବେ। ଫେଡରରଙ୍କ ନିକଟରେ ସର୍ବାଧିକ ୨୦ ଗ୍ରାଣ୍ଡସ୍ଲାମ ଥିବାବେଳେ ନାଡାଲଙ୍କ ନିକଟରେ ଏବେ ୧୮ ଟାଇଟଲ ରହିଛି।

Share