Categories: ମେଟ୍ରୋ

୧୯ରୁ ଭୁବନେଶ୍ୱରରେ ପଲ୍‌ସ ପୋଲିଓ ଟିକାକରଣ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଭୁବନେଶ୍ୱରରେ ଆସନ୍ତା ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ ବୁଥ୍‌ରେ ୪୯୮ ଦଳ ଅନ୍ତର୍ଭୁକ୍ତ ୯୯୬ ଜଣ ଟିକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲୱେ ଷ୍ଟେଶନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟିକା ଦେବାକୁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ୫ ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧୀନ ସ୍ଥଳଗୁଡ଼ିକରେ ପଲ୍‌ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସମାହିତ ହେବ। ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟିକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଥିଲେ, ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ। ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡିକର ୫ବର୍ଷରୁ କମ୍‌ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟିକାକରଣ ସୁଯୋଗ ନେଇପାରିବେ ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ଚୌଧାରୀ ପରାମର୍ଶ ଦେଇଥିଲେ। କେଉଁ ଅଞ୍ଚଳରେ କେଉଁଠି ବୁଥ୍‌ ହୋଇଛି, ସେ ସମ୍ବନ୍ଧରେ ଜାଣିବାକୁ ବିଏମ୍‌ସି ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଦିଆଯିବ। ଭୁବନେଶ୍ୱର ଡଟ୍‌ ମି’ରେ ମଧ୍ୟ ଏ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ତଥ୍ୟ ରହିବ। ନିକୋ ପାର୍କ ଓ ଅନ୍ୟ ପାର୍କରେ କେତେକ ମଡ଼େଲ ଟିକାକରଣ ବୁଥ୍‌ କରାଯାଇ ଶିଶୁମାନଙ୍କ ପାଇଁ ଟିକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଯଦିଓ ୨୦୦୯ରେ ଦେଶରେ ବିଶ୍ୱର ୫୦ ପ୍ରତିଶତରୁ ଅଧିକ ପୋଲିଓ ରୋଗୀ ଥିଲେ, ୨୦୧୪ ମାର୍ଚ୍ଚରେ ଭାରତକୁ ପୋଲିଓ ମୁକ୍ତ ଦେଶ ଭାବେ ଘୋଷଣା କରାଯାଇସାରିଛି। ବ୍ୟାପକ ଟିକାକରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ତେବେ ୨୦୨୩ ସୁଦ୍ଧା ସାରା ବିଶ୍ୱର ଶିଶୁମାନଙ୍କୁ ପାଟିରେ ପୋଲିଓ ଟିକାର ବୁନ୍ଦା ଦେବା ବନ୍ଦ କରାଯିବ।

Share