୧୯ରେ ଆଉ ଏକ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୬(ବ୍ୟୁରୋ)- ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଢେଙ୍କନାଳ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ରାଜ୍ୟକୁ ଛୁଇଁ ସାରିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ରହିଛି। ଆସନ୍ତା ୧୯ ତାରିଖରୁ ବର୍ଷା ପରିମାଣ ଆହୁରି ବୃଦ୍ଧି ପାଇବ। ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ କୋରାପୁଟ ଓ ରାୟଗଡ଼ା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାନର୍ିଂ ଜାରି କରାଯାଇଛି । ସେହିପରି ୧୯ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।
ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ପାରାଦୀପରେ ୨୨.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୯.୨, ଅନୁଗୋଳ ୧୨.୬, ବାରିପଦା ୩୨.୬, ଝାରସୁଗୁଡ଼ା ୫୫.୧, ସମ୍ବଲପୁର ୩୯, ସୁନ୍ଦରଗଡ଼ ୧୫, ହୀରାକୁଦ ୫୪.୮, ତାଳଚେର ୬୩, ଟିଟିଲାଗଡ଼ ୨୨.୪, ବୌଦ୍ଧ ୨୫.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share