୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା ୧୯ ତାରିଖରେ ଭଙ୍ଗାଯିବ। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ। ତେବେ ଏଥିରେ କେତେକ ସରକାରୀ ନିର୍ମାଣ ଯଥା ସିଂହଦ୍ୱାର ପୋଲିସ ଫାଣ୍ଡି, ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା କେନ୍ଦ୍ରର କୋଠା ମଧ୍ୟ ରହିଛି। ତେବେ ଏ ସବୁକୁ ଉଚ୍ଛେଦ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର ଏବଂ ପୋଲିସ ଫାଣ୍ଡି ଜରୁରୀ ଥିବାରୁ ଏହି କୋଠା ଉଚ୍ଛେଦ ପରେ କିପରି ଭକ୍ତଙ୍କୁ ଏହାର ସେବା ମିଳିବ ସେଥିଲାଗି ଯୋଜନା କରିଛି ଜିଲା ପ୍ରଶାସନ। ଏଥିଲାଗି ଶନିବାର ଏକ କଣ୍ଟେନର ଅଣାଯାଇ ସିଂହଦ୍ୱାର ନିକଟରେ ରଖାଯାଇଛି। ଆହୁରି ଦୁଇଟି କଣ୍ଟେନର ମଧ୍ୟ ଆସିବ। ଏହି କଣ୍ଟେନରରେ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି କାର୍ଯ୍ୟକ୍ଷମ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ କହିଛନ୍ତି, ଆସନ୍ତା ୧୯ ତାରିଖରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କରାଯିବ। ତେଣୁ ସୂଚନା କେନ୍ଦ୍ର ଏବଂ ପୋଲିସ ଫାଣ୍ଡି କାର୍ଯ୍ୟକ୍ଷମ କରିବା ପାଇଁ ୩ଟି କଣ୍ଟେନର ଅଣାଯିବାକୁ ନିଷ୍ପତ୍ତି ହୋଇଛି। ଗୋଟିଏ କଣ୍ଟେନରେ ଆସିଥିବା ବେଳେ ଆଉ ୨ଟି ଆସିବ ବୋଲି ସେ ସୂଚନା ଦେଇଛନ୍ତି।

Share