୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି ଅସମ୍ଭବକୁ ସମ୍ଭବ କରିବା ସହ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ୯୬ ସପ୍ତାହରେ ୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ କରିଛନ୍ତି ନିକ୍‌। ଭାରତ ସମେତ ୧୯୬ ଦେଶରେ ମାରାଥନ୍‌ ଦୌଡ଼ି ଯୋଗାଡ଼ କରିଥିବା ୨କୋଟି ୩୦ ଲକ୍ଷ ଟଙ୍କା କ୍ୟାନ୍‌ସର ପୀଡ଼ିତଙ୍କୁ ଦାନ କରିବେ ବୋଲି ନିକ୍‌ କହିଛନ୍ତି। ଏ ସମ୍ପର୍କରେ ନିକ୍‌ କୁହନ୍ତି, ୨୦୧୬ରେ କ୍ୟାନ୍‌ସର ରୋଗୀଙ୍କ ପାଇଁ ଫଣ୍ଡ ଯୋଗାଡ଼ କରୁଥିବା ବେଳେ କ୍ୟାନ୍‌ସର ପୀଡ଼ିତ କେବିନ୍‌ ଓ୍ବେବରଙ୍କ ସହ ତାଙ୍କ ଦେଖା ହୋଇଥିଲା। ସେତେବେଳେ କେବିନ୍‌ ଲାଷ୍ଟ ଷ୍ଟେଜ୍‌ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥିଲେ। କେବିନ୍‌ ଓ ତାଙ୍କ ଭଳି ଅନେକଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରି ନିକ୍‌ ବ୍ୟାଙ୍କ ଚାକିରି ଛାଡ଼ିଥିଲେ। ସେ ୨୦୧୮ ଜାନୁୟାରୀରେ କାନାଡ଼ାଠାରେ ଅନୁଷ୍ଠିତ ମାରାଥନ୍‌ରୁ ଯାତ୍ରା ଆରମ୍ଭ କରିଥିଲେ। ହାରାହାରି ସେ ପ୍ରତି ସପ୍ତାହରେ ୩ ନୂଆ ଦେଶରେ ୩ ମାରାଥନ୍‌ରେ ସାମିଲ ହୋଇଥିଲେ। ଗତ ୬୭୫ ଦିନରେ ନିକ୍‌ ୫୧ ଲକ୍ଷ ଷ୍ଟେପ୍‌ ଦୌଡ଼ି ୧୫ ଲକ୍ଷ କ୍ୟାଲୋରୀ ନଷ୍ଟ କରିଛନ୍ତି। ୧୯୬ ଦେଶକୁ ଯିବା ସମୟରେ ତାଙ୍କୁ ୧୦ଟି ପାସ୍‌ପୋର୍ଟ ଓ ୧୨୦ ଭିଜା ନେବାକୁ ପଡ଼ିଥିଲା। ଏହି ସମୟରେ ସେ ୨୦୧ ଫ୍ଲାଇଟ୍‌, ୪୫ ଟ୍ରେନ୍‌, ୧୫ ବସ୍‌ ଓ ୨୮୦ ଟ୍ୟାକ୍ସିରେ ଯାତ୍ରା କରିଥିଲେ। ନିକ୍‌ ୧୬ରୁ ୧୮ ଜୁଲାଇ ୨୦୧୯ରେ ଭାରତରେ ଥିଲେ।

Share