୧୯୯୨ ବିଶ୍ୱକପ୍‌ ସଫଳତା ଦୋହରାଇବ ପାକିସ୍ତାନ

ଲଣ୍ଡନ, ୮ା୬- ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଚଳିତ ବିଶ୍ୱକପ୍‌ରେ ଆଶାନୁଯାୟୀ ଅଭିଯାନ ଆରମ୍ଭ କରିପାରି ନାହିଁ। ହେଲେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ପରେ ପାକିସ୍ତାନର ଅଭିଯାନରେ ବଡ଼ ସଂଯୋଗ ଦେଖିବାକୁ ମିଳିଛି। ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏ ପରାଜୟ ଓ ବିଜୟ ସହ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ। ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ପାକିସ୍ତାନ ଦଳର ଅଭିଯାନ ପ୍ରଥମ ୩ଟି ମ୍ୟାଚ୍‌ ସୁଦ୍ଧା ସମ୍ପୂର୍ଣ୍ଣ ସମାନ ରହିଛି। ଏକା ଭଳି ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଇଥିବା ୧୯୯୨ ବିଶ୍ୱକପ୍‌ରେ ପାକିସ୍ତାନ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜଠାରୁ ପରାସ୍ତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ହରାଇଥିଲା। ଇଂଲଣ୍ଡ ବିପକ୍ଷ ୩ୟ ମ୍ୟାଚ୍‌ ବର୍ଷା କାରଣରୁ ଖେଳାଯାଇପାରି ନ ଥିଲା। ବିଶ୍ୱକପ୍‌ର ଏହି ସଂସ୍କରଣରେ ପାକିସ୍ତାନ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଟ୍ରଫି ହାତେଇବାରେ ସଫଳ ହୋଇଥିଲା। କିଛି ପ୍ରଶଂସକ ବିଶ୍ୱାସ କରୁଛନ୍ତି ଯେ, ସର୍ଫରାଜଙ୍କ ଦଳ ସମାନ ଇତିହାସ ଦୋହରାଇବ। ତେବେ ସମୟ ହିଁ କହିବ ବିଶ୍ୱକପ୍‌ କିଏ ହାତେଇବ। ପ୍ରଶଂସକମାନେ କେବଳ ଅନୁମାନ କରୁଛନ୍ତି।

Share