Categories: ଜାତୀୟ

୧୯୯୩ ନିର୍ଦ୍ଦେଶର ପୁନର୍ବିଚାର କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ୧୯୯୩ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ପୀଠ ବିଚାରପତିମାନଙ୍କ ନିଯୁକ୍ତି ଲାଗି କଲେଜିୟମ୍‌ ବ୍ୟବସ୍ଥା ଲାଗୁକରିବାକୁ ରାୟ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାର ପୁନର୍ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ ଏନ୍‌.ଭି. ରମନ୍ନାଙ୍କୁ ନେଇ ଗଠିତ ୯ ଜଣିଆ ପୀଠ ନ୍ୟାୟିକ ସଂସ୍କାର ଓ ସ୍ବଚ୍ଛତା ଜାତୀୟ ଆଇନଜୀବୀ ପ୍ରଚାର ଅଭିଯାନ (ଏନ୍‌ଏଲ୍‌ସିଜେଆର୍‌ଟି) ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ଖାରଜ କରିଦେଇଛନ୍ତି। ୧୯୯୩ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ପରାମର୍ଶକ୍ରମେ ରାଷ୍ଟ୍ରପତି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ପ୍ରଦାନ କରୁଥିଲେ। ୧୯୯୩ର ରାୟ ପରେ ରାଷ୍ଟ୍ରପତି କଲେଜିୟମ ସୁପାରିସ କରିଥିବା ନାମ ତାଲିକାରୁ ବିଚାରପତି ନିଯୁକ୍ତି ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ଏହି ବ୍ୟବସ୍ଥାକୁ ନେଇ ସମାଲୋଚନାର ସ୍ବର ଉଠିବା ପରେ ୨୦୧୫ରେ ପାର୍ଲାମେଣ୍ଟ କଲେଜିୟମ୍‌ ବଦଳରେ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ (ଏନ୍‌ଜେଏସି) ଗଠନ ଲାଗି ଆଇନ ପ୍ରଣୟନ କରିଥିଲେ। ତେବେ ଏହି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ।

Share