୧୯ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା, ୩୫ ଡିଗ୍ରୀ ଟପିଲା ତାତି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେଉଛି। ଏହିଭଳି ବର୍ଷା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ସୋମବାର କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ବାକି ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଇଛି। ସେହିପରି ମଙ୍ଗଳବାର ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମୟୂରଭଞ୍ଜରେ ବର୍ଷା ହେବ। ବୁଧବାର ବରଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, କଳାହାଣ୍ଡି, ବୌଦ୍ଧ, ସୁନ୍ଦରଗଡ଼, କନ୍ଧମାଳ, ନବରଙ୍ଗପୁର, କୋରାପୁଟରେ ବର୍ଷା ହେବ। ସେହିଦିନ ବରଗଡ଼, ବଲାଙ୍ଗୀର, ସୋନପୁର ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ ଓ କଳାହାଣ୍ଡିରେ ଝଡ଼ତୋଫାନ ସହିତ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାରେ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସେହିଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମରେ ବଜ୍ରପାତ ସହ ୩୦ରୁ ୪୦କିମି ପବନ ବହିବ। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସେହିଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, କଟକ, କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ ମଧ୍ୟ ବଜ୍ରପାତ ହେବ। ତେଣୁ ଏସବୁ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ତାପମାତ୍ରା ବଢ଼ୁଥିବାବେଳେ ରବିବାର ମାଲକାନଗିରିରେ ସର୍ବାଧିକ ୩୫.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Share