Categories: ଖେଳ

୧୯ ବର୍ଷରୁ କମ୍‌ ଏସିଆ କପ୍‌: ଭାରତ-ବାଂଲାଦେଶ ଫାଇନାଲ

କଲମ୍ବୋ, ୧୨।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଭାରତ ଓ ବାଂଲାଦେଶ ପରସ୍ପରକୁ ଫାଇନାଲରେ ଭେଟିବେ। ଆସନ୍ତା ଶନିବାର ସ୍ଥାନୀୟ ଆର୍‌. ପ୍ରେମଦାସ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଗୁରୁବାର ଖେଳାଯାଇଥିବା ଦୁଇଟିଯାକ ସେମିଫାଇନାଲ ମ୍ୟାଚ୍‌ ବର୍ଷା ଓ ଓଦା ପଡ଼ିଆ ଲାଗି ବାତିଲ ହୋଇଯାଇଛି। ଭାରତ ଓ ଆୟୋଜକ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବାକୁ ଥିଲା। କିନ୍ତୁ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌ର ଟସ୍‌ ପକାଇବା ମଧ୍ୟ ସମ୍ଭବପର ହୋଇପାରି ନ ଥିଲା। ଶେଷରେ ଅମ୍ପାୟର ମ୍ୟାଚ୍‌କୁ ବାତିଲ ଘୋଷଣା କରିଥିଲେ। ତେବେ ଲିଗ୍‌ ପର୍ଯ୍ୟାୟରେ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିବା ଦୃଷ୍ଟିରୁ ଭାରତକୁ ଏଥିରେ ବିଜେତା ଘୋଷଣା କରାଯାଇଥିଲା। ସେହିଭଳି ଟେୟରୋନ ଫର୍ନାଣ୍ଡୋ ଷ୍ଟାଡିୟମରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚ୍‌ ମଧ୍ୟ ବାତିଲ ହୋଇଥିଲା। ଏଠାରେ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ଗ୍ରାଉଣ୍ଡ ଖେଳ ଅନୁପଯୋଗୀ ଥିବାରୁ ମ୍ୟାଚ୍‌ ସମ୍ଭବପର ହୋଇପାରି ନ ଥିଲା। ଗ୍ରୁପ୍‌୍‌ ପର୍ଯ୍ୟାୟରେ ବାଂଲାଦେଶ ୩ ମ୍ୟାଚ୍‌ରେ ଅପରାଜେୟ ରହିଥିବାରୁ ଏହି ମ୍ୟାଚ୍‌ରେ ମଧ୍ୟ ବାଂଲାଦେଶକୁ ବିଜୟୀ ଘୋଷିତ କରାଯାଇଥିଲା।

Share