Categories: ଖେଳ

୧୯ ବର୍ଷରୁ କମ୍‌ ଏସିଆ କପ୍‌: ହ୍ୟାଟ୍ରିକ ବିଜୟ ସେମିରେ ଭାରତ

କଲମ୍ବୋ, ୯।୯- ଶ୍ରୀଲଙ୍କାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିଛି। ସୋମବାର ଗ୍ରୁପ୍‌-ଏ’ର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୩ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ କୁଏତ୍‌ (୭ ଉଇକେଟ୍‌) ଓ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ (୬୦ ରନ୍‌)କୁ ପରାସ୍ତ କରିଥିବା ଭାରତ ଏଥିସହ ଟୁର୍ନାମେଣ୍ଟରେ ଲଗାତର ୩ୟ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତୀୟ ଦଳ ୩ ମ୍ୟାଚ୍‌ରୁ ୬ ପଏଣ୍ଟ ହାସଲ କରି ଗ୍ରୁପ୍‌-ଏ’ରେ ଶୀର୍ଷ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ପରାଜୟ ସତ୍ତ୍ୱେ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚତ୍ଛି। ଗୁରୁବାର ଭାରତ ପ୍ରଥମ ସେମିଫାଇନାଲ ଖେଳିବ। ମଙ୍ଗଳବାର ଗ୍ରୁପ୍‌-ବି’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ପରେ ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହେବ।
ସ୍ଥାନୀୟ କଲମ୍ବୋ କ୍ରିକେଟ୍‌ କ୍ଲବ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଲୋ-ସ୍କୋରିଂ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦୁଇ ଭାରତୀୟ ବୋଲର ସୁଶାନ୍ତ ମିଶ୍ର ଓ ଅଥର୍ବ ଆଙ୍କୋଲେକରଙ୍କୁ ସାମ୍ନା କରି ନ ପାରି ୪୦.୧ ଓଭରରେ ୧୨୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ଫର୍‌ହାନ ଜଖିଲ (୨୯), ସେଦିକୁଲ୍ଲା ଅଟଲ୍‌ (୨୫), ଉଇକେଟ୍‌କିପର ମହମ୍ମଦ ଇଶାକ୍‌ (୧୪) ଓ ଆବିଦୁଲ୍ଲା ତନିଓ୍ବାଲ (୩୯)ଙ୍କୁ ଛାଡ଼ିଦେଲେ ବାକି ୮ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କବିଶିଷ୍ଟ ସ୍କୋର ଛୁଇଁପାରି ନ ଥିଲେ। ମଧ୍ୟଗତିର ବୋଲର ସୁଶାନ୍ତ ମିଶ୍ର (୯.୧-୨-୨୦-୫) ଓ ବାମହାତୀ ସ୍ପିନର ଆଙ୍କୋଲେକର (୯-୩-୧୬-୪) ମାରାତ୍ମକ ବୋଲିଂ କରି ଆଫଗାନିସ୍ତାନକୁ ବଡ଼ ସ୍କୋର କରିବାରେ ଅଟକାଇଥିଲେ। ପୁର୍ନକ ତ୍ୟାଗୀଙ୍କୁ ଗୋଟିଏ ଉଇକେଟ୍‌ ମିଳିଥିଲା। ଜବାବରେ ଛୋଟିଆ ଟାର୍ଗେଟ୍‌କୁ ପିଛା କରିଥିବା ଭାରତ ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ୩୮.୪ ଓଭରରେ ୭ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଆଗଧାଡ଼ିର ୩ ବ୍ୟାଟ୍ସମ୍ୟାନ ଅର୍ଜୁନ ଆଜାଦ୍‌ (୨୧), ସାଲିଲ୍‌ ଆରୋରା (୨୯) ଓ ଶାଶ୍ୱତ ରାଓ୍ବତ (୨୯) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହାପର ୪ ଜଣ ଖେଳାଳି ଅଧିନାୟକ ଧ୍ରୁବ ଜୋରେଲ (୦), ବରୁଣ ଲାଭାଣ୍ଡେ (୬), ତିଲକ ବର୍ମା (୧) ଓ ଆଙ୍କୋଲେକର (୭) ଶୀଘ୍ର ଆଉଟ୍‌ ହେବାରୁ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ କରଣ ଲାଲ୍‌ ୧୩ ଓ ତ୍ୟାଗୀ ୧୧ ରନ କରି ଅପରାଜିତ ରହି ଦଳକୁ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ନୁର୍‌ ଅହମ୍ମଦ ସର୍ବାଧିକ ୪ଟି ଉଇକେଟ୍‌ ନେଇଥିଲେ।

Share