Categories: ଖେଳ

୧୯ ବର୍ଷରୁ କମ୍‌ କ୍ରିକେଟ: ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଭାରତ ସିରିଜ ବିଜୟୀ

ଇଷ୍ଟ ଲଣ୍ଡନ, ୨୮ା୧୨ (ପି.ଟି.)- ସ୍ଥାନୀୟ ବଫାଲୋ ପାର୍କଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଯୁବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଯଶସ୍ବୀ ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତର ୧୯ ବର୍ଷରୁ କମ୍‌ କ୍ରିକେଟ ଦଳ ୮ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ ଦଳ ସରିଜ ବିଜୟୀ ହୋଇଛି। ଭାରତର ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଜଇସ୍ବାଲ ଶନିବାର ୧୮ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଚମତ୍କାର ସ୍ପିନ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ୍‌ ଦଳ ୨୯.୫ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା। ଅନ୍ୟ ବୋଲରଙ୍କ ମଧ୍ୟରେ ଆକାଶ ସିଂ, ଏଭି ଆଙ୍କୋଲେକର ଏବଂ ରବି ବିଶ୍ନୋଇ ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଦଳର ପ୍ରଥମ ଡାଉନ୍‌ ଖେଳାଳି ଜୋନାଥନ ବାର୍ଡ ସର୍ବାଧିକ ୨୫ରନ କରିଥିଲେ। ଓପନର ଆଣ୍ଡ୍ର୍ୟୁ ଲୋ ୨୪ ରନ କରିଥିଲେ। ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ୧୨୦ରନର ସହଜ ସାଧ୍ୟ ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୬.୨ ଓଭରରେ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଜଇସ୍ବାଲ ୫୬ ବଲ୍‌ର ସାମ୍ନା କରି ୧୪ ଚୌକା ଓ ୩ ଛକା ସହ ସର୍ବାଧିକ ୮୯ରନ କରି ଅପରାଜିତ ରହିଥିଲେ। ଧ୍ରୁବ ଜୁରେଲ ୨୬ରନ କରି ଅପରାଜିତ ରହିଥିଲେ। ଅଧିନାୟକ ପ୍ରିୟମ ଗର୍ଗ ବିନା କୌଣସି ରନରେ ଆଉଟ ହୋଇଥିଲେ। ଭାରତର ୧୯ ବର୍ଷରୁ କମ୍‌ ଦଳ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରିଥିଲା।

Share