Categories: ଖେଳ

୧୯ ବର୍ଷରୁ କମ୍‌ କ୍ରିକେଟ, ପ୍ରିୟମଙ୍କ ଶତକ: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ଡର୍ବାନ, ୪ା୧ (ପି.ଟି.)-ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତର ୧୯ବର୍ଷରୁ କମ୍‌ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ପ୍ରିୟମ ଗର୍ଗଙ୍କ ଶତକ(୧୦୩ ବଲ୍‌ରୁ ୧୧୦ରନ) ସହାୟତାରେ ୬୬ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୨୬୪ ରନ କରିଥିଲା। ଗର୍ଗଙ୍କ ଶତକୀୟ ଇନିଂସ ବ୍ୟତୀତ ଧ୍ରୁବ ଜୁରେଲ ୬୫ ଏବଂ ତିଳକ ବର୍ମା ୪୨ ରନ କରିଥିଲେ। ୨୬୫ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୯ଉଇକେଟ ବିନିମୟରେ ୧୯୮ ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଅଧିନାୟକ ବ୍ରାଇସ୍‌ ପାର୍ସନ୍ସ ୫୦ ବଲ୍‌ରୁ ୫୭ ରନ କରିଥିଲେ। ଆଣ୍ଡ୍ର୍ୟୁ ଲୋ ଧୈର୍ଯ୍ୟର ସହ ବ୍ୟାଟିଂ କରି ୮୫ବଲ୍‌ରୁ ୪୫ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବାମହାତୀ ଫାଷ୍ଟ ବୋଲର ସୁଶାନ୍ତ ମିଶ୍ର ୪୮ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ରବି ବିଶ୍ନୋଇ ୨ଟି ଉଇକେଟ ନେଇଥିବାବେଳେ କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋଲେକର ଏବଂ ତିଳକ ବର୍ମା ଗୋଟିଏ ଲୋଖାଏଁ ଉଇକେଟ ସଫଳତା ପାଇଥିଲେ। ଭାରତ ରବିବାର ଏହାର ପରବର୍ତ୍ତୀ ମ୍ୟାଚ ଜିମ୍ବାଓ୍ବେ ବିପକ୍ଷରେ ଖେଳିବ। ନ୍ୟୁଜିଲାଣ୍ଡ ୪ର୍ଥ ଦଳ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଛି।
ସଂକ୍ଷିପ୍ତ ସ୍କୋର
୧୯ ବର୍ଷରୁ କମ୍‌ ଭାରତୀୟ ଦଳ: ୫୦ ଓଭରରେ ୨୬୪/୫ (ପ୍ରିୟମ ଗର୍ଗ-୧୧୦; ମଣ୍ଡଲି ଖୁମାଲୋ-୪/୫୩)।
୧୯ ବର୍ଷରୁ କମ୍‌ ଦକ୍ଷିଣ ଆଫ୍ରିକା: ୫୦ ଓଭରରେ ୧୯୮/୯ (ବ୍ରାଇସ୍‌ ପାର୍ସନ୍ସ-୫୭; ସୁଶାନ୍ତ ମିଶ୍ର-୪/୪୮)।

Share