Categories: ଖେଳ

୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସଚିନ, ରୋହିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୧।୧- ନ୍ୟୁଜିଲାଣ୍ଡ ଖେଳାଳିମାନେ ଖେଳୁଆଡ଼ ମନୋଭାବ ପାଇଁ ବିଶ୍ୱରେ ବେଶ ପରିଚିତ। କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଯେଉଁଭଳି ଖେଳୁଆଡ଼ ମନୋଭାବ ଦେଖାଇଥିଲା, ସେଥିନେଇ ଦଳକୁ ସ୍ପିରିଟ୍‌ ଅଫ୍‌ କ୍ରିକେଟ ମିଳିଥିଲା। ସିନିୟର ଖେଳାଳିଙ୍କ ପରେ ଏବେ ଜୁନିୟର ଖେଳାଳିମାନଙ୍କ କାର୍ଯ୍ୟକୁ ପୂରା କ୍ରିକେଟଜଗତ ପ୍ରଶଂସା କରିଛି। ଦେଶର ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ କିର୍କ ମ୍ୟାକକେନ୍‌ଜି ୯୯ ରନ୍‌ କରିଥିବାବେଳେ ଗୋଡ଼ର ମାଂସପେଶୀ ଟାଣି ହୋଇଯାଇଥିଲା। ଫଳରେ ସେ ପ୍ୟାଭିଲିଅନ ଫେରିଯାଇଥିଲେ। କିନ୍ତୁ ମ୍ୟାଚ୍‌ରେ ୧୪ ବଲ ପୂର୍ବରୁ ଦଳର ୯ ଉଇକେଟ ପତନ ଘଟିବାରୁ ସେ ପୁଣି ଥରେ ବ୍ୟାଟିଂ ପାଇଁ ଆସିଥିଲେ। ସେ ପ୍ରଥମ ବଲରେ ଆଉଟ ହେବାରୁ ଶତକରୁ ବଞ୍ଚତ୍ତ ହୋଇଥିଲେ। ସେ ପ୍ୟାଭିଲିଅନ ଫେରିବାବେଳେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ। ଏପରି କି ଚାଲି ପାରୁ ନ ଥିଲେ। ଏଣୁ ନ୍ୟୁଜିଲାଣ୍ଡ ଅଧିନାୟକ ଜେସି ଟାସ୍କଅଫ୍‌ ଓ ପେସର ଜୋଇ ଫିଲ୍ଡ ମ୍ୟାକଜେନ୍‌ଜିଙ୍କୁ ଉଠାଇ ଗ୍ରାଉଣ୍ଡ ବାହାରେ ଛାଡ଼ିଥିଲେ। ଏହି ଘଟଣାର ଭିଡିଓ କ୍ରିକେଟ ବିଶ୍ୱକପ୍‌ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରି ସଚିନ ଲେଖିଛନ୍ତି, ବ୍ୟକ୍ତିଗତ ଭାବେ ମୋ ପାଇଁ ସ୍ପିରିଟ୍‌ ଅଫ୍‌ କ୍ରିକେଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ କାର୍ଯ୍ୟ ମୋ ହୃଦୟ ଜିତି ନେଇଛି। ସଚିନଙ୍କ ବ୍ୟତୀତ ରୋହିତ ଶର୍ମା, ମହମ୍ମଦ କୈଫ, ଜିମି ନିଶମଙ୍କ ଭଳି କ୍ରିକେଟର ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।

Share