୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ପୋଚେଫ୍ସଟ୍ରୁମ୍‌, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍‌ର ଏହି ୧୩ତମ ସଂସ୍କରଣରେ ଭାରତ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରି ସେମି ଟିକେଟ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କରେ ଅନୁଷ୍ଠିତ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୪୩.୩ ଓଭରରେ ୧୫୯ ରନକରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ଭାରତୀୟ ଡାହାଣହାତୀ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ୭ ଓଭର ବୋଲିଂ କରି ମାତ୍ର ୨୨ ରନ ବ୍ୟୟ କରିବା ସହ ୪ ଉଇକେଟ ଅକ୍ତିଆର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୪ ରନ ର୍ଟାଗଟର ପିଛା କରି ଅଷ୍ଟ୍ରେଲିଆ ପ୍ରଥମ ଓଭରରେ ୩ଟି ଉଇକେଟ ହରାଇଥିଲା। ପ୍ରଥମ ବଲ୍‌ରେ ଜେମ୍‌ ଫ୍ରାସର- ମ୍ୟାକ୍‌ଗୁର୍କ (୦) ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଏହାପରେ ତ୍ୟାଗୀ ଅଧିନାୟକ ମ୍ୟାକେଞ୍ଜି ହାର୍ଭି (୪) ଓ ଲାଚଲାନ ହେଣ୍ଣେ ର୍‌(୦)ଙ୍କୁ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଆଉଟ ହୋଇଥିଲେ। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଓପନର ସାମ ଫାନିଂକ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଏକା ଲଢେଇ କରିଥିଲେ ମଧ୍ୟ ତାଙ୍କୁ ଅନ୍ୟମାନେ ସହଯୋଗ କରି ନ ଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ପାଟ୍ରିକ ରୋଏ ୨୧ ଓ ଲିଆମ ସ୍କଟ୍‌ ୩୫ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ଆକାଶ ସିଂ ମଧ୍ୟ ୩ଟି ବଲ୍‌ରେ କ୍ରମାଗତ ୩ ଉଇକେଟ ନେଇ ହ୍ୟାଟ୍ରିକ ଅର୍ଜନ କରିବା ସହ ଭାରତର ବିଜୟକୁ ସହଜ କରିଥିଲେ। ବୋଲିଂରେ ଭାରତ ତରଫରୁ ତ୍ୟାଗୀ ସର୍ବାଧିକ ୪, ଆକାଶ ୩, ରବି ବିଷ୍ନୋଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତରଫରୁ ଓପନର ଯଶସ୍ବୀ ଜୈସୁଆଲ ସର୍ବାଧିକ ୬୨, ଅର୍ଥବ ଅଙ୍କୋଲେକର ଅପରାଜିତ ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟାଂଶ ସାକସେନା ୧୪, ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ୧୫, ସିଦ୍ଧେଶ ବୀର ୨୫, ରବି ବିଷ୍ନୋଇ ୩୦ ରନ ସଂଗ୍ରହ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କୋରେ କେଲି ଓ ଟୋଡ୍‌ ମର୍ଫି ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share