Categories: ଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ସେମିଫାଇନାଲ

ବେନୋଇ,୧।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଫାଇନାଲ ଟିକେଟ ପାଇଁ ଆସନ୍ତା ୪ ତାରିଖରେ ଏହି ଦୁଇ ଦଳ ପୋଚେଫ୍ସଟ୍ରୁମ୍‌ରେ ମୁହଁାମୁହିଁ ହେବେ। ଗତଥରର ଚାମ୍ପିୟନ ଭାରତ ପୂର୍ବରୁ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ସେମିକୁ ଉଠିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ୬ ତାରିଖରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି।
ଶୁକ୍ରବାର ଏଠାରେ ଖେଳାଯାଇଥିବା ଅନ୍ତିମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ୫୩ଟି ବଲ ବାକିରଖି ୬ ଉଇକେଟରେ ଆଫଗାନିସ୍ତାନକୁ ହରାଇ ସେମିକୁ ଉଠିଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୧୮୯ ରନ କରି ଅଲ୍‌ଆଉଟ ହୋଇଥିଲା। ଦଳ ତରଫରୁ ଅଧିନାୟକ ଫରହାନ ଜଖିଲ ୪୦ ରନ ସଂଗ୍ରହ କରିଥିଲେ। ପାକିସ୍ତାନ ତରଫରୁ ମହମ୍ମଦ ଆମୀର ଖାଁ ସର୍ବାଧିକ ୩, ଫହାଦ ମୁନିର ୨ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ବ୍ୟାଟିଂ ଆରମ୍ଭ କରି ପାକିସ୍ତାନ ୪୧.୧ ଓଭରରେ ୪ ଉଇକେଟ ହରାଇ ୧୯୦ ରନ କରି ବିଜୟୀ ହୋଇଥିଲା। ଦଳ ତରଫରୁ ମହମ୍ମଦ ହୁରାଇରା ସର୍ବାଧିକ ୬୪ ରନ ସଂଗ୍ରହ କରିଥିବା ବେଳେ ଆଫଗାନିସ୍ତାନର ନୁର ଅହମ୍ମଦ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ସର୍ବାଧିକ ୪ଟି ଟାଇଟଲ ହାସଲ କରି ସଫଳତମ ଦଳ ସାବ୍ୟସ୍ତ ହୋଇଛି।

Share