Categories: ଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ୧୦ ଉଇକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ପୋଚେଫ୍ସଟ୍ରୁମ୍‌,୪।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୦ ଉଇକେଟରେ ପାକିସ୍ତାନକୁ ହାରାଇଛି। ସର୍ବାଧିକ ୪ଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ଭାରତ ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ଖେଳିବା ସହ ପାକିସ୍ତାନକୁ କୌଣସି ସୁଯୋଗ ଦେଇ ନ ଥିଲା। ଆସନ୍ତା ରବିବାର ଫାଇନାଲ ମୁକାବିଲାରେ ଭାରତ ନ୍ୟୁଜିଲାଣ୍ଡ କିମ୍ବା ବାଂଲାଦେଶକୁ ଭେଟିବ। ଗୁରୁବାର ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଏହି ଦୁଇ ଦଳ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଦଳର ଦରଫରୁ ଓପନର ହାଇଦର ଅଲୀ ୫୬ ଓ ଅଧିନାୟକ ତଥା ଉଇକେଟକିପର ରୋହେଲ ନାଜିର ୬୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହପରି ମହମ୍ମଦ ହାରିସ୍‌ ୨୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ସୁଶାନ୍ତ ମିଶ୍ରା ୩, କାର୍ତ୍ତିକ ତ୍ୟାଗୀ ଓ ରବି ବିଷ୍ଣୋଇ ୨ଟି ଲେଖାଏ, ଅଥର୍ବ ଅଙ୍କୋଲେକର ଓ ଜୟସୁଆଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share